ଇନ୍ଦୋରରେ ଇନିଂସ ବିଜୟ । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ବାଂଲାଦେଶ, ଇନିଂସ ଓ ୧୩୦ ରନରେ ମାତ୍ ଦେଲା ବିରାଟ ବାହିନୀ ।

850

କନକ ବ୍ୟୁରୋ : ଇନ୍ଦୋରରେ ଟିମ୍ ଇଣ୍ଡିଆର ଇନିଂସ ବିଜୟ । ବାଂଲାଦେଶ ବିପକ୍ଷ ଇନ୍ଦୋର ଟେଷ୍ଟକୁ ଇନିଂସ ଓ ୧୩୦ ରନରେ ବାଜି ମାରି ନେଇଛି ବିରାଟ ବାହିନୀ । ଆଉ ଏହାସହ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି କୋହଲି ଆଣ୍ଡ କୋ । ଇନ୍ଦୋର ଟେଷ୍ଟର ତୃତୀୟ ଦିନରେ ବାଂଲାଦେଶକୁ ମାତ୍ ଦେଇ ଏହି ବଡ ବିଜୟ ହାସଲ କରିଛି ଭାରତ ।

ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲାଦେଶ । ମାତ୍ର ୨୧୩ ରନରେ ପୂରା ଟିମ୍ ଫେରିଥିଲା ପ୍ୟାଭିଲିୟନ । ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ଇନିଂସରେ ମାତ୍ର ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ମୟଙ୍କ ଅଗ୍ରୱାଲଙ୍କ ଦମଦାର ଦ୍ୱିଶତକ, ପୂଜାରା, ରାହାଣେ ଓ ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ ୪୯୩ ରନ୍ କରି ପାଳି ଘୋଷଣା କରିଥିଲା । ପ୍ରଥମ ଇନିଂସରେ ୩୪୩ ରନ୍ ପଛରେ ରହି ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ବାଂଲାଦେଶ । ତେବେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ପୂରା ଆତ୍ମସର୍ମପଣ କରିଥିଲା ବାଂଲାଦେଶ ଟିମ୍ । ଦ୍ୱିତୀୟ ଇନିଂସର ମହମ୍ମଦ ସାମି ୪ଟି ଓ ଅଶ୍ୱିନୀ ୩ ୱିକେଟ ହାତେଇଥିବା ବେଳେ ଇଶାନ୍ତ ଶର୍ମା ୧ ଓ ଉମେଶ ଯାଦବ ୨ଟି ୱିକେଟ ନେଇ ବାଂଲାଦେଶର ପାଳି ଶେଷ କରିଥିଲେ ।

ଏହି ବିଜୟ ସହ ଭାରତ ଆଇସିସି ଟେଷ୍ଟ ଚାମ୍ପିୟନସିପରେ ଲଗାତାର ୬ଟି ମ୍ୟାଚରେ ବିଜୟ ହୋଇ ୩୦୦ ପଏଣ୍ଟ ସହ ଶୀର୍ଷରେ ରହିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ୨୨ ନଭେମ୍ବରରେ ହେବାକୁ ଥିବା ଏହି ମ୍ୟାଚ୍ ଦିବାରାତ୍ର ଫର୍ମାଟରେ ଖେଳାଯିବ । ଭାରତରେ ପ୍ରଥମ ଥର ପାଇଁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଦେଖିବାକୁ ମିଳିବ ।