ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ବିଜୟ ଉପହାର ଦେଲା ବିରାଟ ବାହିନୀ । ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ ।

772

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ବିଜୟ ଉପହାର ଦେଇଛି ବିରାଟ ବାହିନୀ । ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ କିୱି ଦଳକୁ ୭ ୱିକେଟରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହି ରୋମାଞ୍ଚକର ବିଜୟ ସହ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ ।

ଅକଲାଣ୍ଡର ଇଡେନ୍ ପାର୍କରେ ଆଜି ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମରୁ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଦଳ ଏକ ବଡ ସ୍କୋର ଅଭିମୁଖେ ଯାଇପାରିନଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୫ଟି ୱିକେଟ୍ ହରାଇ ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୨ଟି, ଶିଭମ ଦୁବେ, ସାର୍ଦ୍ଦୁଲ ଠାକୁର ଏବଂ ଜସପ୍ରିତ ବୁମରା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

୧୩୩ ରନର ବିଜୟ ଲକ୍ଷକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ ରୋହିତ ଶର୍ମା । କିନ୍ତୁ ପୁଣି ଥରେ ନିଜ ବ୍ୟାଟିଂର ଜଲୱା ଦେଖାଇଥିଲେ ଲୋକେଶ ରାହୁଲ ଏବଂ ଶ୍ରେୟସ ଆୟର । ୫୦ଟି ବଲରୁ ୨ଟି ଛକା ଓ ୩ଟି ଚୌକା ବଳରେ ୫୭ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ରାହୁଲ । ଶ୍ରେୟସ ଆୟର ମଧ୍ୟ ଦମଦାର ବ୍ୟାଟିଂ କରି ୪୪ ରନର ଏକ ଜବରଦସ୍ତ ଇନିଂସ ଖେଳିଥିଲେ । ରୋମାଞ୍ଚକର ବ୍ୟାଟିଂ ପାଇଁ ଲୋକେଶ ରାହୁଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।