ଗୌହାଟିରେ ବିରାଟ ଓ ରୋହିତଙ୍କ କମାଲ ! ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ, ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ମାତ ଦେଲା ଟିମ୍ ଇଣ୍ଡିଆ ।

28

କନକ ବ୍ୟୁରୋ : ଗୌହାଟି ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଜବରଦସ୍ତ ଶତକ ବଳରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଦଳ ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇବା ସହ ବିଜୟରୁ ନିଜ ଦିନିକିଆ ଅଭିଯାନ ଆରମ୍ଭ କରିଛି । ଏହା ସହ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ବିରାଟ ବାହିନୀ ।

ଅଧିନାୟକ ବିରାଟ କୋହଲି(୧୪୦ ରନ୍, ୧୦୭ ବଲ୍, ୨୧ ଚୌକା ଓ ୨ ଛକା) ଓ ଓପନର ରୋହିତ ଶର୍ମା (ଅପରାଜିତ ୧୫୨ ରନ୍, ୧୧୭ ବଲ୍,୧୫ ଚୌକା ଓ ୮ ଛକା)ଙ୍କ ଶତକୀୟ ଭାଗିଦାରୀ ବଳରେ ରବିବାର ଭାରତ ୮ ଓ୍ଵିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୩୨୩ ରନ୍ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ କରିଥିଲା। କୋହଲି ଓ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ୪୨.୧ ଓଭରରେ ୨ ଓ୍ଵିକେଟ ହରାଇ ଭାରତ ୩୨୬ ରନ୍ ସଂଗ୍ରହ କରଛି। ଫଳରେ ଭାରତ ଶୃଙ୍ଖଳାକୁ ୧-୦ରେ ଅଗ୍ରଣୀ ରହିଛି।

ଭାରତ ପ୍ରଥମ ଓ୍ଵିକେଟ ଭାବରେ ଶିଖର ଧାଓ୍ଵନ (୪)ଙ୍କୁ ହରାଇଥିଲା। ଧାଓ୍ଵନ ୧.୬ ଓଭରରେ ଓସେନ ଥୋମାସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ରୋହିତ ଓ କୋହଲି ୨ୟ ଓ୍ଵିକେଟରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ୨ୟ ଓ୍ଵିକେଟ ଭାବରେ କୋହଲିଙ୍କୁ ୨୫୬ ରନରେ ହରାଇଥିଲା। ଅବାନ୍ତି ରାୟଡୁ ୨୬ଟି ବଲ ଖେଳି ଅପରାଜିତ ୨୨ ରନ୍ ଯୋଡ଼ିଥିବା ବେଳେ ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଅଛି।

ପ୍ରଥମ ଇନିଂସରେ ସିମରୋନ୍ ହେଟମେୟରଙ୍କ ବିସ୍ଫୋରକ ଶତକ (୧୦୬ ରନ୍, ୭୮ ବଲ, ୬ ଚୌକା, ୬ ଛକା) ବଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୨୨ ରନ୍ ସଂଗ୍ରହ କରିବା ପରେ ଭାରତକୁ ୩୨୩ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। ଆସାମର ଗୌହାଟୀ ଷ୍ଟାଡିୟମରେ ୫ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ରବିବାର ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ୟୁଜବେନ୍ଦ୍ର ଚହଲଙ୍କୁ ୩ଟି ଓ୍ଵକେଟ୍, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨-୨ ଓ୍ଵିକେଟ୍ ମିଳିଥବା ବେଳେ ଖଲିଲ ଅହମଦ ଗୋଟିଏ ଓ୍ଵିକେଟ୍ ନେଇଥିଲେ।