ଭାରତ ଜିତିଲା ବିଶ୍ୱକପ ! ୮ ୱିକେଟରେ ଅଷ୍ଟ୍ରେଲିଆକୁ ଦେଲା ମାତ୍, ଚତୁର୍ଥ ଟାଇଟଲ ସହ ଇତିହାସ ରଚିଲା ଟିମ୍ ଇଣ୍ଡିଆ

74

ବିଶ୍ୱଚାମ୍ପିୟନ ହେଲା ଭାରତ । ଜୁନିୟର ବିଶ୍ୱକପ କ୍ରିକେଟ ଟାଇଟଲ ହାତେଇଲା ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ । ପୃଥ୍ୱୀ ଶ୍ୱଙ୍କ ନେତୃତ୍ୱାଧୀନ ଭାରତୀୟ ଯୁବ ଟିମ ଦମଦାର ପ୍ରଦର୍ଶନ ବଳରେ କଙ୍ଗାରୁ ଟିମକୁ ମାତ ଦେଇ ବିଶ୍ୱବିଜୟୀ ହୋଇଛି । ମନଜୋତ କଲରାଙ୍କ ଆକର୍ଷଣୀୟ ଶତକ ଆଗରେ ମାଟି କାମୁଡିଛି ଟିମ୍ ଅଷ୍ଟ୍ରେଲିଆ । ଏହାସହ ଜୁନିୟର ବିଶ୍ୱକପରେ ସର୍ବାଧିକ ୪ ଥର ଟାଇଟଲ ହାସଲ କରିବାରେ ପ୍ରଥମ ଟିମ ଭାବେ ଇତିହାସ ରଚିଛି ଭାରତ । ଭାରତ ପକ୍ଷରୁ ମନଜୋତ କଲରା ସର୍ବାଧିକ ୧୦୧ ରନ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

କୁଇନସଲାଣ୍ଡରେ ଖେଳାଯାଉଥିବା ଫାଇନାଲ ବ୍ୟାଟଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ତେବେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ମୁଣ୍ଡ ନୁଆଇଁଥିଲା କଙ୍ଗାରୁ ଦଳ । ଭାରତୀୟ ବୋଲରଙ୍କ ଆକର୍ଷଣୀୟ ବୋଲିଂକୁ ସାମ୍ନା କରିନପାରି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ୨୧୬ ରନରେ ଅଲଆଉଟ ହୋଇଥିଲେ । କଙ୍ଗାରୁ ଦଳ ପକ୍ଷରୁ ଜୋନାଥନ ମେରଲୋ ସର୍ବାଧିକ ୭୬ ରନର ଇନିଂସ ଖେଳିଥିଲେ ସୁଦ୍ଧା ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଭାରତର ଇଶାନ ପୋରେଲ, ଶିବା ସିଂ, କମଲେଶ ନଗରକୋଟି ଓ ଅନୁକୁଲ ରୟଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଥିବା ବେଳେ ଶିବମ ମାଭିଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

ଏହାସହ ୨୧୭ ରନର ସହଜ ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଭାରତ ପକ୍ଷରୁ ଅଧିନାୟକ ପୃଥ୍ୱୀ ଶ୍ୱ ୨୯ ରନ କରିଥିବା ବେଳେ ସଦରଲାଣ୍ଡଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ । ପରେ କ୍ରିଜକୁ ଆସିଥିବା ଶୁଭମନ ଗିଲ କିଛି ଆକର୍ଷଣୀୟ ସଟ ଖେଳି ଦଳୀୟ ସ୍କୋର ଆଗକୁ ନେଇଥିଲେ । ତେବେ ଧୂଆଁଧାର ବ୍ୟାଟିଂ କରୁଥିବା ଶୁଭମନ ୩୧ ରନ କରିଥିବା ବେଳେ ଉପଲଙ୍କ ବଲରେ ବୋଲ୍ଡ ହୋଇଥିଲେ । ଏହି ସମ୍ରରେ ଦଳୀୟ ସ୍କୋର ଥିଲା ୧୩୧ । ତେବେ ଦୁଇ ୱିକେଟର ପତନ ପରେ ଭାରତୀୟ ଇନିଂସକୁ ସମ୍ଭାଳିଥିଲେ ମନଜୋତ କଲରା । ଅଷ୍ଟ୍ରେିଲିଆ ବୋଲରଙ୍କୁ ନିର୍ଦ୍ଧୁମ ଛେଚିଥିଲେ କଲରା । ଏହସହ ସେ ନିଜର ଶତକ ମଧ୍ୟ ହାସଲ କରିଥିଲେ । ଏହାସହ ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦୧ ରନ କରିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ହାରିନାହିଁ ଟିମ୍ ଇଣ୍ଡିଆ । ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟାଇଟଲ ହାସଲ କରିବା ସହ ଇତିହାସ ରଚିଛି ଟିମ ଇଣ୍ଡିଆ । ଚଳିତ ବିଶ୍ୱକପ ପାଇଁ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଭାରତ ଏହି ବିଶ୍ୱକପ ହାସଲ କରିବା ପରେ କ୍ରିକେଟ ପ୍ରଂଶସକ ମହଲରେ ଖୁସିର ଲହରି ଖେଳିଯାଇଛି । ବିଭିନ୍ନ ଆଡୁ ଛୁଟିଛି ଶୁଭେଚ୍ଛାର ସୁଅ ।