ଶ୍ରୀଲଙ୍କା ସହ ଦ୍ୱିତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ : ଇନିଂସ ଓ ୫୩ ରନରେ ବିରାଟ ବାହିନୀର ବାଜିମାତ୍

14

କନକ ବ୍ୟୁରୋ : ଶ୍ରୀଲଙ୍କା ବିରୋଧରେ ଦ୍ୱିତୀୟ ଟେଷ୍ଟକୁ ଏକ ଇନିଂସ ଓ ୫୩ ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ୩ ଟିକିଆ ସିରିଜରେ ୨-୦ରେ ଆଗୁଆ ରହିଛି ବିରାଟ ବାହିନୀ । ସେପଟେ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ତୃତୀୟ ଟେଷ୍ଟରୁ ରବୀନ୍ଦ୍ର ଜାଡେଜାଙ୍କୁ ନିଲମ୍ବିତ କରିଛି ଆଇସିସି । କୋର୍ଡ ଅଫ୍ କଣ୍ଡକ୍ଟର ଉଲ୍ଲଂଘନ କରିଥିବା ଅଭିଯୋଗ ନେଇ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ ।

ଆସନ୍ତା ୧୨ ତାରିଖରୁ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ତେବେ ଆଜିର ଏହି ବିଜୟ ସହ ଭାରତୀୟ କ୍ରିକେଟର ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି । ତା ସହ ଟିମ୍ ଇଣ୍ଡିଆର ସ୍ପିନରଙ୍କ କମାଲ ମଧ୍ୟ ପୁଣି ସାରା ବିଶ୍ୱ ଦେଖିଛି । ତେବେ ସବୁଠୁ ବେଶୀ ଚର୍ଚ୍ଚାରେ ଅଛନ୍ତି ରବୀନ୍ଦ୍ର ଜାଡେଜା । ସେ ଉଭୟ ବ୍ୟାଟ ଓ ବଲରେ ଚମକ୍ରାରିତା ଦେଖାଇଛନ୍ତି ।  ଦୁଇ ସ୍ପିନର ଅଶ୍ୱିନ ଓ ରବୀନ୍ଦ୍ର ୭ଟି ଲେଖାଏଁ ଉଇକେଟ ହାତେଇଛନ୍ତି । ପ୍ରଥମ ଇନିଂସରେ ଅଶ୍ୱିନ ୫ ଉଇକେଟ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ୫ ଉଇକେଟ ହାସଲ କରିଥିଲେ । ଏହା ସହ ଦୁଇ ସ୍ପିନର ପ୍ରଥମ ପାରିରେ ବ୍ୟାଟିଂରେ ମଧ୍ୟ ଦଳକୁ ଉପଯୁକ୍ତ ସହଯୋଗ ଦେଇଛନ୍ତି ।

ଆର ଅଶ୍ୱିନ ୫୪ ରନ କରିଥିବା ବେଳେ ଜାଡେଜା ଅପରାଜିତ ୭୦ ରନ କରି ଦଳର ସ୍କୋରକୁ ୬୨୨ ରନକୁ ପହଂଚାଇଥିଲେ । ବାମହାତି ଟେଷ୍ଟ ବୋଲର ମଧ୍ୟରେ ରେକର୍ଡର ଅଧିକାରୀ ହୋଇଛନ୍ତି ଜାଡେଜା । ସେ ମାତ୍ର ୩୨ ମ୍ୟାଚ ଖେଳି ୧୫୦ ଉଇକେଟ ଅକ୍ତିଆର କରିଛନ୍ତି । ତାଙ୍କ ତଳକୁ ରହିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତବୋଲର ମିଚେଲ ଜନସନ୍ । ସେ ୩୪ଟି ମ୍ୟାଚରେ ଏହି ସଫଳତା ପାଇଥିଲେ । ତେବେ ଟିମ୍ ଇଣ୍ଡିଆର ଏହି ଦୁଇ ବୋଲର ଏବେ ଆଇସିସି ଟେଷ୍ଟ ରାଙ୍କରେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି ।

ଉଭୟ ବୋଲିଂ ଓ ବ୍ୟାଟିଂ ସଫଳତା ପାଇଁ ରବୀନ୍ଦ୍ର ଜାଡେଜାଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି । ଏପଟେ ଦୁଇ ସ୍ପିନରଙ୍କ ମଧ୍ୟରେ ଚାଲିଥିବା ସୁସ୍ଥ ସଂଘର୍ଷ ଦଳକୁ ଅଧିକ ମଜଭୁତ କରିବ ବୋଲି ଅଧିନାୟକ ଆଶା ରଖିଛନ୍ତି ।