ଟେଷ୍ଟ ପରେ ଦିନିକିଆ ସିରିଜ ଉପରେ କବଜା କଲା ବିରାଟ ବାହିନୀ ! ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇଲା ଭାରତ

25

କନକ ବ୍ୟୁରୋ :ଟେଷ୍ଟ ପରେ ଦିନିକିଆ ସିରିଜ ଉପରେ କବଜା କଲା ବିରାଟ ବାହିନୀ । ଟେଷ୍ଟ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଥିବା ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ତିନି ମ୍ୟାଚ୍ ଜିତି ଦୁଇଟି ମ୍ୟାଚ୍ ପୂର୍ବରୁ ସିରିଜ ବିଜୟ ହାସଲ କରିଛି। ରବିବାର ପାଲେକେଲେରେ ଖେଳା ଯାଇଥିବା ତୃତୀୟ ଦିନିକିଆକୁ ୬ ଓ୍ଵିକେଟରେ ଜିତି ବିରାଟ ବାହିନୀ ଶୃଙ୍ଖଳା ବିଜୟରେ ମୁଣ୍ଡି ମାରିଥିଲା। ବିସ୍ପୋରକ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଦମଦାର ୧୨୪ ରନ୍ ଓ ମହେନ୍ଦ୍ର ସିଂହଙ୍କ ଅପରାଜିତ ୬୭ ରନ ବଳରେ ସିଂହଳି ବାହିନୀ ହାତରୁ ମ୍ୟାଚ ଛଡାଇ ଆଣିଛି ଭାରତ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ଶ୍ରୀଲଙ୍କା ପୁଣିଥରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପରେ ଲାହିରୁ ଥରିମାନେଙ୍କ ଲଢୁଆ ୮୦ ରନର ଇନିଂସ ବଳରେ ଭାରତ ଆଗରେ ୨୧୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଶ୍ରୀଲଙ୍କା । ଭାରତ ପକ୍ଷରୁ ଜସପ୍ରିତ ବୁମରାହ ୫ଟି ୱିକେଟ ଅକ୍ତିଆରଚରି କ୍ୟାରିୟରର ଶ୍ରେଷ୍ଠ ବୋଲିଂ ସଫଳତା ପାଇଥିଲେ । ୨୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବିରାଟ ବାହିନୀକୁ ଧୱନଙ୍କ ୱିକେଟ ନେଇ ମାଲିଙ୍ଗା ପ୍ରାଥମିକ ଝଟକା ଦେଇଥିଲେ । ତେବେ ଭାରତୀୟ ଓପନର ରୋହିତ ଶର୍ମା ଓ ଧୋନିଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତ ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡାଇ ଆଣିଥିଲା ।

ତେବେ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତ ବିଜୟଠାରୁ ମାତ୍ର ୮ ରନ୍ ଦୂରରେ ଥିବା ବେଳେ ଶ୍ରୀଲଙ୍କାର ବିଶୃଙ୍ଖଳିତ ଦର୍ଶକ ପଡ଼ିଆ ମଧ୍ୟକୁ ବୋତଲ ଫିଙ୍ଗିବା ଆରମ୍ଭ କରିଥିଲେ । ଫଳରେ ମ୍ୟାଚ୍ ୨୦ ମିନିଟ ପାଇଁ ବନ୍ଦ ରହିଥିଲା । ପରେ ବୋତଲ ଫିଙ୍ଗୁଥିବା ଦର୍ଶକଙ୍କୁ ସୁରକ୍ଷା କର୍ମୀ ବାହାରକୁ ନେଇ ଯିବା ପରେ ପୁଣି ଥରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ଧୋନି ବିଜୟ ସୂଚକ ରନ୍ ନେଇ ଭାରତକୁ ସିରିଜ ବିଜୟ ଭେଟି ଦେଇଥିଲେ ।