ଶେଷ ଦିନିକିଆରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ । ୪-୧ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ

571

କନକ ବ୍ୟୁରୋ : ଶେଷ ଦିନିକିଆକୁ ୩୫ ରନରେ କିୱି ଟିମକୁ ମାତ୍ ଦେବା ସହ ୪-୧ରେ ସିରିଜ ହାତେଇଛି ରୋହିତ ବାହିନୀ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ ବିଜୟ ସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ୱେଲିଂଟନରେ ଖେଳାଯାଇଥିବା ଶେଷ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୧୮ ରନରେ ୪ଟି ୱିକେଟ ହରାଇବା ସହ ସଙ୍କଟରେ ପଡିଥିଲା ଟିମ୍ ଇଣ୍ଡିଆ । ତେବେ ବିଜୟ ଶଙ୍କର ଓ ଅମ୍ବାତି ରାୟଡୁଙ୍କ ଧୈଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ୨୦୦ ରନ ପାର କରିଥିଲା । ଶେଷ ଆଡକୁ ହାର୍ଡ ହିଟର ହାର୍ଦ୍ଦିକ ପାଣ୍ଡ୍ୟା ୨୨ ବଲରୁ ଦ୍ରୁତ ୪୫ ରନ କରିବା ସହ ଭାରତ ୨୫୦ ରନ ପାର କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟ ହେନେରି ୪ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୩ ୱିକେଟ ନେବା ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

୨୫୩ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲା କିୱି ଟିମ୍ । ମାତ୍ର ୪୪.୧ ଓଭରରେ ୨୧୭ରେ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ । ଆଉ ଏହି ମ୍ୟାଚକୁ ୩୫ ରନରେ ବାଜି ମାରି ନେଇଥିଲା ଭାରତ । ଟିମ୍ ଇଣ୍ଡିଆ ପକ୍ଷରୁ ଚହଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ସାମି ଓ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଧୈଯ୍ୟପୂର୍ଣ୍ଣ ଇନିଂସ ପାଇଁ ଅମ୍ବାତି ରାୟଡୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ହାତେଇଥିବା ବେଳେ ମହମ୍ମଦ ସାମି ପ୍ଲେୟାର ଅଫ୍ ଦି ସିରିଜ ନିଜ ନାଁରେ କରିଥିଲେ ।

Comments are closed.