ପ୍ରଥମ ଟି-୨୦ରେ ଚମକିଲା ଟିମ୍ ଇଣ୍ଡିଆ ! ଦକ୍ଷିଣ-ଆଫ୍ରିକାକୁ ୨୮ ରନରେ ପରାସ୍ତ କଲା ବିରାଟ ବାହିନୀ

21

କନକ ବ୍ୟୁରୋ : ଜୋହନ୍ସବର୍ଗରେ ବିରାଟ ବାହିନୀର ବଡ ସୋ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୨୮ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଜୋହନ୍ସବର୍ଗରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ରୋମାଞ୍ଚକର ମୁକାବିଲାରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଦିନିକିଆ ସିରିଜ ବିଜୟ ପରେ ଏବେ ଟି-୨୦ ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ।

୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ମୋଟ ୨୦୩ ରନ କରିବାରେ ସକ୍ଷମ ହୋଇଥିଲା ବିରାଟ ବାହିନୀ । ଏହାସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ସ୍କୋର କରିଥିଲା ଭାରତ । ବିସ୍ପୋରକ ଓପନର ଶିଖର ଧୱନଙ୍କ ଆକର୍ଷଣୀୟ ୭୨ ରନ ବଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୦୪ ରନର ଟାର୍ଗେଟ ସେଟ କରିଥିଲା ଟିମ ଇଣ୍ଡିଆ । ଭାରତୀୟ ଇନିଂସର ପ୍ରଥମ ଓଭରରୁ ହିଁ ରନ ବର୍ଷା ଆରମ୍ଭ କରିଥିଲେ ଷ୍ଟାର ଓପନର ରୋହିତ ଶର୍ମା । ପ୍ରଥମ ଓଭରରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ୧୮ ରନ ଯୋଡିଥିଲେ । ତେବେ କ୍ରିଜରେ ବେଶି ସମୟ ତିଷ୍ଠି ପାରିନଥିଲେ ରୋହିତ । ମାତ୍ର ୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ ହିଟମ୍ୟାନ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜୁନିୟର ଡାଲା ୪୭ ରନ ଦେଇ ଦୁଇ ୱିକେଟ ହାସଲ କରିଥିଲେ ।

୨୦୪ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ-ଆଫ୍ରିକା ମଧ୍ୟ ପ୍ରଥମରୁ ଦ୍ରୁତ ରନ ସଂଗ୍ରହ କରିଥିଲା । ତେବେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲା ଦକ୍ଷିଣ-ଆଫ୍ରିକା । ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ୧୭୫ ରନରେ ଅଟକିଥିଲା ଦକ୍ଷିଣ ଆଫ୍ରିକା । ଭୁବନେଶ୍ୱର କୁମାର ୪ ଓଭରରେ ୨୪ ରନ ବିନିମୟରେ ୫ ୱିକେଟ ହାସଲ କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ଏହି ବିଜୟ ସହ ଭାରତ ୩ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।