ବିରାଟ ବାହିନୀର ବିରଳ ରେକର୍ଡ ! ବିଦେଶ ମାଟିରେ ତିନି ଫର୍ମାଟରେ କ୍ଲିନ ସୁଇପ୍ ,ଶ୍ରୀଲଙ୍କାକୁ ୯-୦ରେ ଦେଲା ମାତ୍

33

କନକ ବ୍ୟୁରୋ : ସ୍ମରଣୀୟ ଶ୍ରୀଲଙ୍କା ଗସ୍ତର ସୁଖଦ ଅନ୍ତ ହୋଇଛି । ଟେଷ୍ଟ ଶୃଙ୍ଖଳାକୁ ୩-୦ ଏବଂ ଦିନିକିଆକୁ ୫-୦ରେ ଜିତିଥିବା ଭାରତୀୟ କ୍ରିକେଟ୍‌ ଦଳ ଏକମାତ୍ର ଟି-୨୦କୁ ୭ ଓ୍ଵିକେଟ୍‌ରେ ଜିତି ନେଇ ହ୍ୟାଟ୍ରିକ୍‌ ମୂଳପୋଛ ହାସଲ କରିଛି । ସେପଟେ ଘରୋଇ ଶ୍ରୀଲଙ୍କା ଟେଷ୍ଟ, ଦିନିକିଆ ଏବଂ ଟି-୨୦କୁ ମିଶାଇ ୦-୯ର ଲଜ୍ଜାଜନକ ପରାଜୟ ବରଣ କରିଛି । ବୁଧବାରର ଏକମାତ୍ର ଟି-୨୦ ସମ୍ମାନ ରକ୍ଷାର ଶେଷ ସୁଯୋଗ ହୋଇଥିଲେ ମଧ୍ୟ ଶ୍ରୀଲଙ୍କା ଏହାକୁ ହାରି ସାନ୍ତ୍ୱନାମୂଳକ ବିଜୟ ହାସଲରୁ ବିଫଳ ହୋଇଛି।

କାଲି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଭାରତ ସମ୍ମୁଖରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତ ୧୯.୨ ଓଭରରେ ୩ ଓ୍ଵିକେଟ୍‌ ବିନିମୟରେ ୧୭୪ ରନ୍‌ କରି ସଜହ ବିଜୟ ସହ ଅପରାଜେୟ ଧାରାକୁ ଅତୁଟ ରଖିଥିଲା । ଅପରାହ୍ନ ବର୍ଷା ଯୋଗୁଁ ଓଦା ହୋଇ ଯାଇଥିବା ପଡ଼ିଆ ଲାଗି ଖେଳ ୪୦ ମିିନିଟ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଶ୍ରୀଲଙ୍କା ଆରମ୍ଭରୁ ଦିଲସାନ ମୁନାଓ୍ଵିରା (୫୩ ରନ୍‌, ୨୯ ବଲ୍‌, ୫ ଚୌକା, ୪ ଛକା)ଙ୍କ ଅର୍ଧଶତକ ଏବଂ ଶେଷ ଭାଗରେ ଅସାନ ପ୍ରିୟରଞ୍ଜନ (୪୦ ରନ୍‌, ୪୦ ବଲ୍‌, ୧ ଚୌକା, ୨ ଛକା)ଙ୍କ ଦ୍ରୁତ ବ୍ୟାଟିଂ ପାଇଁ ୭ ଓ୍ଵିକେଟ୍‌ ବିନିମୟରେ ୧୭୦ ରନ୍‌ କରି ନେଇଥିଲା ।

୧୩୪ ରନ୍‌ରେ ୭ ଓ୍ଵିକେଟ୍‌ ହରାଇ ସାରଥିବା ଘରୋଇ ଦଳ ପାଇଁ ଅବିଭାଜିତ ଅଷ୍ଟମ ଓ୍ଵିକେଟ୍‌ରେ ପ୍ରିୟରଞ୍ଜନ ଏବଂ ଇସୁରୁ ଉଦାନା (୧୯ଞ୍ଚ ରନ୍‌, ୧୦ ବଲ୍‌, ୨ ଚୌକା, ୧ ଛକା) ୩୬ ରନ୍‌ ଯୋଡ଼ିଥିଲେ । ଏହି ଦୁଇ ଜଣଙ୍କ ପାଇଁ ଶ୍ରୀଲଙ୍କା ଶେଷ ଦୁଇ ଓଭରରୁ ୨୬ ରନ୍‌ ସଂଗ୍ରହ କରିଥିଲା। ହେଲେ ଅଧିନାୟକ ଉପୁଲ ତରଙ୍ଗା (୫)ଙ୍କ ବିଫଳତା ଧାରା ଜାରି ରହିଥିଲା । ଭାରତ ପକ୍ଷରୁ ଯୁବ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ୪୩ ରନ୍‌ ଦେଇ ସର୍ବାଧିକ ୩ ଓ୍ଵିକେଟ୍‌ ହାସଲ କରିଥିଲେ।

୧୭୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୨୨ ରନ୍‌ରେ ରୋହିତ ଶର୍ମା (୯) ଏବଂ ୪୨ ରନ୍‌ରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ (୨୪)ଙ୍କୁ ହରାଇଥିଲା। ଉଭୟଙ୍କୁ ପାଓ୍ଵାର ପ୍ଲେ’ର ପ୍ରଥମ ୬ ଓଭର ଭିତରେ ପାଭିଲିୟନ ଫେରାଇ ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା। ହେଲେ ସବୁଠାରୁ ବଡ଼ ବିପଦ ତଥା ଭାରତୀୟ ଅଧିନାୟକ ବିରାଟ କୋହଲି (୮୨ଞ୍ଚ ରନ୍‌, ୫୪ ବଲ୍‌, ୭ ଚୌକା, ୧ ଛକା))ଙ୍କ ଆଗରେ ପୁଣି ଥରେ ଆତ୍ମ ସମର୍ପଣ କରିଥିଲା । ବିରାଟ ଏବଂ ମନୀଷ ପାଣ୍ଡେ (୫୧ଞ୍ଚ ରନ୍‌, ୩୬ ବଲ୍‌, ୪ ଚୌକା, ୧ ଛକା) ତୃତୀୟ ଓ୍ଵିକେଟ୍‌ରେ ୧୧୯ ରନ୍‌ ଯୋଡ଼ି ଭାରତ ବିଜୟକୁ ପକ୍କା କରି ଦେଇଥିଲେ । ୪୭ ରନ୍‌ରେ ଅପରାଜିତ ଥିବା ପଣ୍ଡେ ଶେଷ ଓଭରର ଦ୍ୱିତୀୟ ବଲ୍‌କୁ ଚୌକା ମାରି ଅର୍ଧଶତକ ପୂରଣ କରିବା ସହ ବିଜୟ ମୁଣ୍ଡି ମାରିଥିଲେ । ତା’ ସହ ଭାରତ ପ୍ରଥମ ଥର ପାଇଁ କୌଣସି ଶ୍ରୀଲଙ୍କା ଗସ୍ତରେ ଲଗାତାର ତିନିଟି ଶୃଙ୍ଖଳା ଜିତିବାର ବିରଳ କୀର୍ତ୍ତିମାନ କରିଥିଲା ।

ଭାରତର ପଛୁଆ ବ୍ୟାଟିଂ ବେଳେ କୋହଲି ମଧ୍ୟ ୧,୦୦୦  ଟି-୨୦ ରନ୍‌ ପୂରଣ କରିବାର ନିଆରା କୀର୍ତ୍ତିମାନ କରିଥିଲେ । କୋହଲିଙ୍କୁ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।