ତିନି ଦିନରେ ଚିତ୍ ମାରିଲା ୱେଷ୍ଟଇଣ୍ଡିଜ ଟିମ୍ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିଜୟ ସହ ସିରିଜ ହାତେଇଲା ଟିମ୍ ଇଣ୍ଡିଆ

34

କନକ ବ୍ୟୁରୋ : ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୧୦ ୱିକେଟରେ ମାତ୍ ଦେଇ ସିରିଜ ହାତେଇଲା ଭାରତ । ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବିରାଟ ବାହିନୀ । ମାତ୍ର ତିନି ଦିନରେ କାରବିଆନ ଖେଳାଳିଙ୍କୁ ଧରାଶାୟୀ କରି ୨-୦ରେ ସିରିଜ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ ।

ହାଇଦ୍ରାବାଦରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ୱେଷ୍ଟଇଣ୍ଡିଜ । ତେବେ ପ୍ରଥମ ଇନିଂସରେ ମାତ୍ର ୩୧୧ ରନରେ ସମସ୍ତ ୱିକେଟ ହରାଇଥିଲା ୱେଷ୍ଟଇଣ୍ଡିଜ ଟିମ୍ । ଉମେଶ ଯାଦବଙ୍କ ଶାଣିତ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ୱେଷ୍ଟଇଣ୍ଡିଜର ପୂରା ଟିମ୍ । ଉମେଶ ୬ ୱିକେଟ ନେବା ସହ ୱେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ସେହିଭଳି ଭାରତ ମଧ୍ୟ ଭଲ ଆରମ୍ଭ ପାଇବା ସତ୍ତେ୍ୱ ମଧ୍ୟ ପ୍ରଥମ ଇନିଂସରେ ୩୬୭ ରନ କରିବା ସହ ୫୬ ରନର ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଋଷଭ ପନ୍ଥ ସର୍ବାଧିକ ୯୨, ଆଜିଙ୍କ୍ୟ ରାହାଣେ ୮୦ ଓ ପୃଥ୍ୱୀ ଶ୍ୱଙ୍କ ୭୦ ରନ କରିଥିଲେ ।

୫୬ ରନ ପଛୁଆ ରହି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ ଟିମ ମାତ୍ର ୧୨୭ ରନରେ ଅଲଆଉଟ ହୋଇଥିଲା । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଘାତକ ବୋଲିଂ କରିଥିଲେ ଉମେଶ । ଦ୍ୱିତୀୟ ଇନିଂସରେ ୪ ୱିକେଟ ନେବା ସହ ପୂରା ମ୍ୟାଚରେ ୧୦ ୱିକେଟ ହାସଲ କରିଥିଲେ ଉମେଶ । ସେହିଭଳି ଜାଡେଜା ୩ଟି, ଅଶ୍ୱିନୀ ୨ଟି ଓ କୁଳଦୀପ ଯାଦବ ୧ ୱିକେଟ ହାସଲ କରିଥିଲେ ।


ୱେଷ୍ଟଇଣ୍ଡିଜର ପୂରା ଟିମ ୧୨୭ ରନରେ ଅଲଆଉଟ ହେବା ପରେ ଭାରତକୁ ୭୨ ରନର ବିଜୟଲକ୍ଷ୍ୟ ମିଳିଥିଲା । ଯାହାକୁ ବେଶ ସହଜରେ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ । ବିନା କୌଣସି ୱିକେଟରେ ଭାରତର ପ୍ରାରମ୍ଭିକ ଯୋଡି ଏହି ବିଜୟଲକ୍ଷ୍ୟ ହାସଲ କରି ନେଇଥିଲେ । କେ,ଏଲ ରାହୁଲ ଓ ପୃଥ୍ୱୀ ଶ୍ୱ ଉଭୟ ୩୩ ରନ ଲେଖାଏଁ ହାସଲ କରିବା ସହ ଭାରତକୁ ଦେଇଥିଲେ ଦମଦାର ବିଜୟ । ଆଉ ଏହି ବିଜୟ ସହ ସିରିଜ ହାତେଇଥିଲା ଭାରତ । ୧୦ ୱିକେଟ ସଫଳତା ପାଇଁ ଉମେଶ ଯାଦବଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର ଦିଆଯାଇଥିବା ବେଳେ ପୃଥ୍ୱୀ ଶ୍ୱ ମ୍ୟାନ ଅଫ୍ ଦ ସିରିଜ ହାତେଇଥିଲେ ।