ରାଜକୋଟରେ ରୋହିତ ରାଜ । ବାଂଲାଦେଶକୁ ୮ ୱିକେଟରେ ମାତ୍ ଦେଇ ଦ୍ୱିତୀୟ ଟି-୨୦ ଜିତିଲା ଟିମ୍ ଇଣ୍ଡିଆ ।

681

କନକ ବ୍ୟୁରୋ : ଅଧିନାୟକ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦ୍ୱିତୀୟ ଟି-୨୦ରେ ବାଂଲାଦେଶକୁ ୮ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଆଉ ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଏବେ ୧-୧ ବରାବର ରହିଛି । ତେଣୁ ନାଗପୁରରେ ହେବାକୁ ଥିବା ଅନ୍ତିମ ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର । ରୋହିତଙ୍କ ବିଧ୍ୱଂସୀ ଇନିଂସ ବଳରେ ଏହି ମ୍ୟାଚକୁ ୨୬ଟି ବଲ ପୂର୍ବରୁ ବାଜି ମାରି ନେଇଛି ମେନ୍ ଇନ୍ ବ୍ଲୁ ।

ରାଜକୋଟରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଭାରତ । ତେବେ ପ୍ରଥମରୁ ବେଶ ସର୍ତକତାର ସହ ବ୍ୟାଟିଂ ଆରମ୍ଭ କରିଥିବା ବାଂଲାଦେଶ ମଧ୍ୟକ୍ରମରେ ଝୁଣ୍ଟିଥିଲା । ଟିମ୍ ଇଣ୍ଡିଆର ମାପଚୁପ ବୋଲିଂ ସାମ୍ନାରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ବାଂଲାଦେଶ । ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ମାତ୍ର ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା ଭ୍ରମଣକାରୀ ଦଳ ।

୧୫୪ ରନର ବିଜୟ ଲକ୍ଷ୍ୟ ପଡିଆକୁ ଓହ୍ଲାଇଥିବା ଭାରତ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦୁଇ ଓପନର ବଡ ସଟ୍ ଖେଳିବା ସହ ବାଂଲାଦେଶ ବୋଲରଙ୍କ ନିଦ ହଜାଇଦେଇଥିଲେ । ଗୋଟିଏ ପଟେ ଧୱନ ସର୍ତକତାର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ରୋହିତଙ୍କ ବ୍ୟାଟରୁ ଛକା ଓ ଚୌକାର ବର୍ଷା ହେଉଥିଲା । ମାତ୍ର ୪୩ ବଲରୁ ୮୫ ରନର ଦମଦାର ଇନିଂସ ଖେଳିଥିଲେ ରୋହିତ । ଯେଉଁଥିରେ ସାମିଲ ଥିଲା ୬ ଚୌକା ଓ ୬ ଛକା । ଶତକୀୟ ପାର୍ଟନରସିପ ପରେ ଏହି ଯୋଡି ଭାଙ୍ଗିଥିଲା । ଧୱନ ୩୧ ରନ୍ କରି ପ୍ୟାଭିଲିୟନ ଫେରିଥିବା ବେଳେ ରୋହିତ ଶତକରୁ ୧୫ ରନ ଦୂରରେ ରହିଯାଇଥିଲେ । ତେବେ ଶେଷ ଆଡକୁ ଶ୍ରେୟସ ଆୟର ଆକର୍ଷଣୀୟ ସଟ୍ ଖେଳି ଦଳକୁ ଦେଇଥିଲେ ବଡ ବିଜୟ ।