ଦେଶବାସୀଙ୍କ ମଧ୍ୟରେ ଯେତିକି କୋହ, ତା’ଠାରୁ ଅଧିକ କ୍ରୋଧ ! ସମସ୍ତଙ୍କ ମୁହଁରେ ଗୋଟିଏ କଥା, ସହିଦ ଯବାନଙ୍କ ବଳିଦାନର ବଦଲା କେବେ?

145

କନକ ବ୍ୟୁରୋ : ଦେଶବାସୀଙ୍କ ମଧ୍ୟରେ ଜଳୁଛି ପ୍ରତିଶୋଧର ନିଆଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣର ବଦଲା ନିଅ । ସାରା ଦେଶରେ ଏବେ ଏହି ନାରା ଜାରି ରହିଛି । ୪୦ ଜଣ ଯବାନଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତାଙ୍କ ଭିତରେ ବି ପ୍ରତିଶୋଧର ନିଆଁ ଜଳୁଛି । ଗୃହମନ୍ତ୍ରୀ ରାଜନାଥ ସିଂହ ବି କହିଛନ୍ତି, ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ଚାହୁଁଛନ୍ତି ଦେଶବାସୀ  ।

ଦେଶବାସୀଙ୍କ ମଧ୍ୟରେ ଯେତିକି କୋହ, ତାଠାରୁ ଅଧିକ କ୍ରୋଧ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ସହିଦ ଯବାନଙ୍କ ବଳିଦାନର ବଦଲା କେବେ? ଆଉ ଏହି କ୍ରୋଧ ସେତେବେଳେ ଥମିବ, ଯେତେବେଳେ ସୀମାରେ ରକ୍ତର ହୋଲି ଖେଳିଥିବା ଆତଙ୍କବାଦୀଙ୍କ ମୁଣ୍ଡ ଗଡିବ । ଦେଶବାସୀଙ୍କ ପ୍ରତିଶୋଧ ଭାବନାକୁ ବୋଧହୁଏ ବୁଝିପାରିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ପ୍ରତିଶୋଧ ନେବ ଭାରତ । ପୁଲୱାମା ଆତଙ୍କବାଦୀ  ଆକ୍ରମଣର ବଦଲା ଚାହୁଁଛି ସାରା ଭାରତ । ଦୁଇ ଦୁଇ ଜଣ ବୀର ପୁଅଙ୍କୁ ହରାଇଥିବା ଓଡିଶା ବାସୀଙ୍କ ଭିତରେ ବି ଜଳୁଛି ପ୍ରତିଶୋଧର ନିଆଁ । ଭଦ୍ରକ ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ରାଜନାଥ ସିଂହ, ପୁଲୱାମାରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନ, ସହିଦ ମନୋଜ କୁମାର ବେହେରା ଏବଂ ସହିଦ ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି । କହିଛନ୍ତି, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ଗୃହମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଯେକୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଏବେ ସାରା ଦେଶ, ଭାରତର ଜବାବକୁ ଅପେକ୍ଷା କରିଛି । କାରଣ, ସମସ୍ତଙ୍କ ଭିତରେ ଜଳୁଛି ପ୍ରତିଶୋଧର ନିଆଁ ।