ଏଣିକି ଶତ୍ରୁଙ୍କୁ ସ୍ୱଦେଶୀ ଯୁଦ୍ଧାସ୍ତ୍ରରେ ଟକ୍କର ଦେବ ଭାରତ । ୟୁପି ଏବଂ ତାମିଲନାଡୁରେ ନିର୍ମାଣ ହେଲା ଡିଫେନ୍ସ କରିଡର ।

70

ଆଉ ବିଦେଶୀରୁ ଆମଦାନି ହୋଇଥିବା ଯୁଦ୍ଧାସ୍ତ୍ର ନୁହେଁ; ବରଂ ଏଣିକି ସ୍ୱଦେଶରେ ନିର୍ମିତ ଯୁଦ୍ଧାସ୍ତ୍ରକୁ ଧରି ପ୍ରତିପକ୍ଷକୁ ନିଜର ଦମ୍ ଦେଖାଇବ ଭାରତ। ଏହି ଯୋଜନାକୁ ଏବେ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ଯଦି ଏହି ଯୋଜନା ସଫଳ ରୂପ ନେଲା, ତେବେ ଏହା ଦ୍ୱାରା ଉପକୃତ ହୋଇପାରିବେ ଅନେକ ଛୋଟ ଏବଂ ମଧ୍ୟମ ଶିଳ୍ପଦ୍ୟୋଗୀ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ଦେଶର ତାମିଲନାଡ଼ୁ ଓ ଉତ୍ତରପ୍ରଦେଶରେ ଦୁଇଟି ଡିଫେନ୍ସ କରିଡରର ସ୍ଥାପନା କରିବେ। ଏବଂ ଏହି ଡିଫେନ୍ସ କରିଡରରେ ଅନେକ ଛୋଟ ଓ ମଧ୍ୟମ ଶିଳ୍ପଦ୍ୟୋଗୀ ସେମାନଙ୍କର ଶିଳ୍ପ ବା କାରଖାନା ପ୍ରତିଷ୍ଠା କରିବେ; ଯେଉଁମାନେ କି ବଡ଼ ବଡ଼ ଯୁଦ୍ଧାସ୍ତ୍ର ନିର୍ମାଣ ନିମନ୍ତେ ଆବଶ୍ୟକ ପଡ଼ୁଥିବା ଛୋଟ ଛୋଟ ଯନ୍ତ୍ରାଂଶ ନିର୍ମାଣ କରନ୍ତି। ଏବେ ସେହିପରି ଶିଳ୍ପଦ୍ୟୋଗୀମାନଙ୍କୁ ଏହି ଡିଫେନ୍ସ କରିଡରରେ ସେମାନଙ୍କର ଶିଳ୍ପ ବା କାରଖାନା ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ।

ପୂର୍ବରୁ ଦେଶ ଭିତରେ ଏହିପରି ବଡ଼ ବଡ଼ ଯୁଦ୍ଧାସ୍ତ୍ର ନିର୍ମାଣ ନିମନ୍ତେ ଆବଶ୍ୟକ ପଡ଼ୁଥିବା ଛୋଟ ଛୋଟ ଯନ୍ତ୍ରାଂଶର ଦେଶ ଭିତରେ ଚାହିଦା ନଥିଲା। ତେଣୁ ଯେଉଁମାନେ ଏହିପରି ଛୋଟ ଛୋଟ ଯନ୍ତ୍ରାଂଶର ନିର୍ମାଣ କରୁଥିଲେ ସେମାନେ ସେସବୁକୁ ବିଦେଶକୁ ରପ୍ତାନି କରୁଥିଲେ। ଏଥିପାଇଁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏହାକୁ ଦୃଷ୍ଟିରେ ରଖି ଏବେ ସରକାର ଦେଶରେ ଆରମ୍ଭ କରିଥିବା ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନାରେ ବିଦେଶୀ ଯୁଦ୍ଧାସ୍ତ୍ର ନିର୍ମାଣ କମ୍ପାନିମାନଙ୍କୁ ଭାରତକୁ ନିମନ୍ତ୍ରଣ କରିବେ ଏବଂ ଦେଶରେ ନିର୍ମିତ ହେଉଥିବା ଛୋଟଛୋଟ ଯନ୍ତ୍ରାଂଶକୁ ବ୍ୟବହାର କରି ବଡ଼ ବଡ଼ ଯୁଦ୍ଧାସ୍ତ୍ର ନିର୍ମାଣ କରିବେ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାର ଚଳିତ ବର୍ଷର ପ୍ରତିରକ୍ଷା ବଜେଟକୁ ବହୁଗୁଣା ବଢ଼ାଇ ଦେଇଛନ୍ତି। ଯାହାକି ଅନ୍ୟ ଦେଶଗୁଡ଼ିକମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ଏବେ ସରକାର ଘୋଷଣା କରିଛନ୍ତି, ବର୍ଦ୍ଧିତ ପ୍ରତିରକ୍ଷା ବଜେଟର ପ୍ରମୁଖ ଭାଗ ପ୍ରତିରକ୍ଷା ବିଭାଗର ଆଧୁନିକୀକରଣ ସହ ନୂତନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣାରେ ବ୍ୟୟ କରାଯିବ। ଏଘଟଣା ପରେ ଏବେ ବିଶ୍ୱର ବହୁ ବଡ଼ବଡ଼ ନାମିଦାମୀ ଯୁଦ୍ଧାସ୍ତ୍ର ନିର୍ମାଣ କମ୍ପାନି ଏବେ ଭାରତ ଆସି ଭାରତ ପ୍ରସ୍ତୁତ ଯନ୍ତ୍ରାଂଶକୁ ବ୍ୟବହାର କରି ଯୁଦ୍ଧାସ୍ତ୍ର ନିର୍ମାଣ କରିବାକୁ ନିଜର ସହମତି ଦେଇ ସାରିଲେଣି। ଉଲ୍ଲେଖଯୋଗ୍ୟ, ଲଢ଼ୁଆ ବିମାନ ଓ ଟ୍ୟାଙ୍କ୍ ପରି ବଡ଼ ବଡ଼ ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ଋଷିଆ, ୟୁରୋପ ପରି ବହୁ ବଡ଼ ବଡ଼ ଦେଶ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଛୋଟ ଛୋଟ ଯନ୍ତ୍ରାଶଂ ସବୁକୁ ଭାରତରୁ ହିଁ ଆମଦାନି କରିଥାଆନ୍ତି। ଆଉ ଭାରତ ପ୍ରତିବର୍ଷ ପାଖାପାଖି ୩୫ ହଜାର କୋଟି ଟଙ୍କା ମୂଲ୍ୟର ଏହିପରି ଯନ୍ତ୍ରାଂଶ ବିଦେଶକୁ ରପ୍ତାନି କରିଥାଏ।