ଚୀନକୁ କଡା ଟକ୍କର ଦେବ ଭାରତ ! ଆମେରିକାରୁ ଆସିବ ୨୪ଟି ରୋମିଓ ସିହକ୍ ହେଲିକପ୍ଟର ।

150

ଭାରତ ଆମେରିକାରୁ ୨୪ଟି ଆଣ୍ଟି-ସବମେରିନ୍ ରୋମିଓ ହେଲିକପ୍ଟର କିଣିବ ବୋଲି ଜଣାପଡ଼ିଛି । ୨ ବିଲିୟନ୍ ଡଲାର୍ ବ୍ୟୟରେ ହେଲିକପ୍ଟର୍ ଖରିଦ କରାଯିବ ବୋଲି ସୂଚନା ମିଳିଛି । ଭାରତ ମହାସାଗରରେ ଚୀନର ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ଲାଗି ଏହି ଅତ୍ୟାଧୁନିକ ହେଲିକପ୍ଟର ଭାରତ ପାଇଁ ଜରୁରୀ ହୋଇପଡ଼ିଛି ।

ପ୍ରାୟ ଏକ ଦଶନ୍ଧି ହେବ ନୌସେନା ଏହି ଶ୍ରେଣୀର ଆଣ୍ଟି-ସବମେରିନ୍ ହେଲିକପ୍ଟର ଆବଶ୍ୟକ କରୁଥିଲା । ଆଉ କିଛି ମାସ ମଧ୍ୟରେ ଏହାର ବିକ୍ରି ଲାଗି ଚୁକ୍ତି ସଂପାଦିତ ହେବ ବୋଲି ଜଣାପଡ଼ିଛି । ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ଉପ-ରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ମଧ୍ୟରେ ଏ ନେଇ ପ୍ରାଥମିକ ଆଲୋଚନା ହୋଇଛି । ସୂତ୍ର ଅନୁସାରେ ଭାରତ ୨୪ଟି ଏମଏଚ୍ ୬୦ ରୋମିଓ ସିହକ୍ ହେଲିକପ୍ଟର ଜରୁରୀ ଭାବେ ଆବଶ୍ୟକ କରୁଛି ବୋଲି ଆମେରିକାର ପ୍ରଶଂସନକୁ ଏକ ପତ୍ର ଜରିଆରେ ସୂଚିତ କରାଯାଇଛି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆମେରିକା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଅସୁବିଧା ନାହିଁ ବୋଲି ମତବ୍ୟକ୍ତ କରିବା ପରେ ଭାରତ-ଆମେରିକା ସାମରିକ ସଂପର୍କ ତ୍ୱରାନ୍ଵିତ ହୋଇଛି । ଭାରତ ମହାସାଗରରେ ଚୀନର ଆଧିପତ୍ୟ ବୃଦ୍ଧି ଯୋଗୁଁ ଭାରତ ଏହି ଅତ୍ୟାଧୁନିକ ହେଲିକପ୍ଟର ଆବଶ୍ୟକ କରୁଛି । ରୋମିଓ ସିହକ୍ ଫ୍ରିଗେଟ୍, ଡ୍ରେଷ୍ଟୟର୍, କ୍ରୁଇଜର ଭଳି ସମସ୍ତ ଯୁଦ୍ଧପୋତରୁ କାର‌୍ୟ୍ୟ କରିପାରିବ । ଏହା ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ହେଲିକପ୍ଟର ବୋଲି ସାମରିକ ବିଶେଷଜ୍ଞ ମତ ଦେଇଛନ୍ତି ।