ମ୍ୟାଚ୍ ଟାଇ ହେବା ପରେ ୱେଷ୍ଟଇଣ୍ଡିଜକୁ ଭୁରି ଭୁରି ପ୍ରଂଶସା କଲେ ବିରାଟ ! ଟିମ୍ ଇଣ୍ଡିଜକୁ ଦେଲେ ମ୍ୟାଚର ଶ୍ରେୟ ।

36

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଟାଇ ହୋଇଛି । ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ, ବିରାଟ କୋହଲି କହିଛନ୍ତି ୱେଷ୍ଟଇଣ୍ଡିଜ୍ ଭଲ ପ୍ରଦର୍ଶନ କରିଛି, ଯାହା ଦ୍ୱାରା ମ୍ୟାଚଟି ଟାଇ ହୋଇଯାଇଛି । କୋହଲିଙ୍କ ଅପରାଜିତ ଶତକୀୟ ପାଳି ବଳରେ ଭାରତ ଗତକାଲି ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୩୨୧ ରନ କରିବାକୁ ସକ୍ଷମ ହୋଇଥିଲା । ୱେଷ୍ଟଇଣ୍ଡିଜକୁ ବିଜୟ ପାଇଁ ଶେଷ ଓଭରରେ ୧୪ ରନ ଆବଶ୍ୟକତା ହେଉଥିବା ବେଳେ ଶେଷ ବଲରେ ୫ ରନର ଆବଶ୍ୟକତା ରହିଥିଲା । ଅପରାଜିତ ଶତକୀୟ ପାଳି ଖେଳିଥିବା ଶାଇ ହୋପ୍ ଉମେଶ ଯାଦବଙ୍କୁ ଶେଷ ବଲରେ ଚୌକା ମାରି ମ୍ୟାଚକୁ ଟାଇ କରିଦେଇଥିଲେ ।

ମ୍ୟାଚ ଶେଷ ହେବା ପରେ କୋହଲି କହିଛନ୍ତି, ଏହା ଏକ ରୋମାଞ୍ଚକର ମ୍ୟାଚ ହୋଇଥିଲା । ଏବଂ ମ୍ୟାଚର ଶ୍ରେୟ ୱେଷ୍ଟଇଣ୍ଡିଜକୁ ଯିବା ଦରକାର । ଶିମରୋନ ହେଟମେର ଏବଂ ଶାଇ ହୋପଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନକୁ ଭୁରି ଭୁରି ପ୍ରଂଶସା କରିଛନ୍ତି ଅଧିନାୟକ ବିରାଟ କୋହଲି । ସେ କହିଛନ୍ତି, ଏହି ମ୍ୟାଚକୁ ସେ ମନଭରି ଉପଭୋଗ କରିଛନ୍ତି । ମ୍ୟାଚଟି ଭାରତ ପାଇଁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା । ତେବେ କୁଲଦୀପ ଯାଦବ, ଚହଲ, ଉମେଶ ଏବଂ ସାମିଙ୍କ ବୋଲିଂ ପ୍ରଦର୍ଶନକୁ ପ୍ରଂଶସା କରିଛନ୍ତି କୋହଲି ।