ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-ଟ୍ୱେଂଟି ମୁକାବିଲା । ବିଜୟ ଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ବିନା ଧୋନୀରେ ପଡିଆକୁ ଓହ୍ଲାଇବ ଦଳ

ରୋହିତ ଶର୍ମା ଏହି ଶୃଙ୍ଖଳାରେ ଘରୋଇ ଦଳର ନେତୃତ୍ବ ନେବେ

241

କନକ ବ୍ୟୁରୋ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା। ଉଭୟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ହାତେଇ ନେଇଥିବା ଘରୋଇ ଭାରତ କୋଲ୍କାତାର ଐତିହାସିକ ଇଡେନ୍ ଗାର୍ଡେନରେ ଆଜି ପ୍ରଥମ ମ୍ୟାଚ୍ ଖେଳିବ। ତେବେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ପ୍ରଥମ ଥର ଲାଗି ଭାରତ ଟ୍ବେଣ୍ଟି-୨୦କୁ ଓହ୍ଲାଇବ। ରୋହିତ ଶର୍ମା ଏହି ଶୃଙ୍ଖଳାରେ ଘରୋଇ ଦଳର ନେତୃତ୍ବ ନେବେ। ଧୋନିଙ୍କ ଅନୁପସ୍ଥିତିରେ ଯୁବ ତାରକା ଋଷଭ ପନ୍ତ୍ ଓ ଅଭିଜ୍ଞ ଦୀନେଶ କାର୍ତିକଙ୍କୁ ସମର୍ଥନ ଦେଇଛନ୍ତି ରୋହିତ। ସେହିପରି ଯୁବ ତାରକା ଶ୍ରେୟସ ଆୟର, ଅଲ୍ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ସାହବାଜ୍ ନଦୀମ୍ ଦଳ ପାଇଁ ସମ୍ପତ୍ତି ପାଲଟିବେ। ବୋଲିଂରେ ଯଶ୍ପ୍ରିତ୍ ବୁମ୍ରା ଓ ଭୁବନେଶ୍ବର କୁମାରଙ୍କ ସହ ଖଲିଲ ଅହମ୍ମଦ ଖେଳିବା ନିଶ୍ଚିତ ଥିଲା ବେଳେ ୟୁଜ୍ବେନ୍ଦ୍ର ଚହଲ୍ ଓ କୁଲ୍ଦୀପ୍ ଯାଦବ ସ୍ପିନ୍ ଆକ୍ରମଣ ସମ୍ଭାଳିବେ। ବ୍ୟାଟିଂରେ ଲୋକେଶ ରାହୁଲ୍ ଖେଳିବା ସମ୍ଭାବନା ଅଧିକ ବୋଲି ରୋହିତ କହିଛନ୍ତି।

ଫଳରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ପରେ ସେହି ବିଜୟ ଧାରାକୁ ଲମ୍ବାଇବା ପାଇଁ ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳା ଉପରେ ନଜର ରଖିଛି। ହେଲେ ଘରୋଇ ଦଳକୁ ଟେଷ୍ଟ ଓ ଦିନିକିଆ ପରେ କ୍ରିକେଟ୍ର ସବୁଠୁ ଛୋଟିଆ ଫର୍ମାଟ୍ ଟ୍ବେଣ୍ଟି-୨୦ରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କଡ଼ା ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ। କାରଣ ବିଶ୍ବ ବିଜେତା ଇଣ୍ଡିଜ୍ ଦଳ ଟ୍ବେଣ୍ଟି-୨୦ରେ ଭିନ୍ନ ରୂପ ନେଇଥାଏ। ଟ୍ବେଣ୍ଟି-୨୦ ବିଶେଷଜ୍ଞ ଭାବେ ଡାରେନ୍ ବ୍ରାଭୋ, କିରଣ ପୋଲାର୍ଡ ଓ ରସେଲଙ୍କ ଭଳି ଖେଳାଳି ଦଳରେ ସାମିଲ ଥିବାରୁ ଭାରତକୁ ଜିତିବା ସହଜ ହେବନାହିଁ। ତେବେ ଶେଷ ଖବର ଅନୁଯାୟୀ ରସେଲ୍ ଆହତ ହୋଇଥିବାରୁ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଏହା ଭ୍ରମଣକାରୀ ଦଳ ପାଇଁ ନିଶ୍ଚିତ ବଡ଼ ଝଟ୍କା ହେବ। ତଥାପି ଅଧିନାୟକ କାର୍ଲୋସ୍ ବ୍ରାଥ୍ୱେଟ୍ ଟ୍ବେଣ୍ଟି-୨୦ରେ ଭଲ ପ୍ରଭାବ ଛାଡ଼ିଥାନ୍ତି। ତେଣୁ ଚଳିତ ଗସ୍ତର ଶେଷ ଭାଗକୁ ଜିତି ବିଜୟ ଗୌରବ ପାଇବାକୁ ଭ୍ରମଣକାରୀ ଇଣ୍ଡିଜ୍ ନିଶ୍ଚିତ ଚାହିଁବ। ପୁଣି ପରିସଂଖ୍ୟାନ ଇଣ୍ଡିଜ୍ ଦଳ ସପକ୍ଷରେ ରହିଛି।

ଗତ ୨୦୦୯ ପରଠୁ ୨୦୧୭ ମଧ୍ୟରେ ଉଭୟ ଦଳ ପରସ୍ପର ୮ ଥର ମୁହାଁମୁହିଁ ହୋଇଥିଲା ବେଳେ ଇଣ୍ଡିଜ୍ ୫ ଜିତିଥିଲା ବେଳେ ଭାରତ ମାତ୍ର ୨ ଜିତିଛି। ଶେଷ ଥର ପାଇଁ ଭାରତ ୨୦୧୪ ମାର୍ଚ ୨୩ରେ ବାଂଲାଦେଶରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପରେ ଇଣ୍ଡିଜକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ବ୍ରାଥ୍ୱେଟଙ୍କ ଦଳ ଶେଷ ୪ ମୁକାବିଲାରେ ଭାରତକୁ ପରାସ୍ତ କରିଥିଲା ବେଳେ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ (ମୁମ୍ବାଇ)ରେ ଭାରତକୁ ପରାସ୍ତ କରି ଘରୋଇ ଦଳର ଅଭିଯାନ ଶେଷ କରିଦେଇଥିଲା।