ଆଜି ଅନ୍ତିମ ଲଢେଇ ! କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

125

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ତୃତୀୟ ଟି-୨୦ ଖେଳାଯିବ । ଏହି ମହାମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ର ଅଗ୍ରଣୀ ସହ ଶୃଙ୍ଖଳା କବଜା କରିସାରିଥିବା ରୋହିତ ଶର୍ମାଙ୍କ ଘରୋଇ ଦଳ ଏହି ମ୍ୟାଚ୍ ଜିତି ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ରହିଛି। ନିୟମିତ ଅଧିନାୟକ ବିରାଟ କୋହଲି, ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତି ସାଙ୍ଗକୁ ଶେଷ ମ୍ୟାଚରୁ ଦୁଇ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ଓ ଉମେଶ ଯାଦବଙ୍କ ସାଙ୍ଗକୁ ଚାଇନାମ୍ୟାଚ୍ ସ୍ପିନର କୁଲଦୀପ୍ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଦଳ କିଛିଟା ଶକ୍ତିହୀନ ହୋଇପଡ଼ିଥିବ। ତେବେ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଚୂଡାନ୍ତ ଏକାଦଶରୁ ବଞ୍ଚିତ ହୋଇ ଆସୁଥିବା କିଛି ଯୁବ ଖେଳାଳିଙ୍କ ଉପରେ ନଜର ରହିବ।

ବିଶେଷକରି ସ୍ଥାନୀୟ ଖେଳାଳି ୱାସିଂଟନ୍ ସୁନ୍ଦର, ଶ୍ରେୟସ ଆୟର ଏବଂ ସାହବାଜ୍ ନଦୀମ୍ ଏହି ମ୍ୟାଚରେ ସୁଯୋଗ ପାଇପାରନ୍ତି। ସେମାନଙ୍କ ମଧ୍ୟରୁ ୱାସିଂଟନ୍ ସୁନ୍ଦର ଖେଳିବା ପ୍ରାୟତଃ ନିଶ୍ଚିତ ଥିଲା ବେଳେ କୁଲଦୀପଙ୍କ ଅନୁପସ୍ଥିତିରେ ୟୁଜବେନ୍ଦ୍ର ଚହଲ୍ ଫେରିପାରନ୍ତି। ଭୁବନେଶ୍ବର କୁମାରଙ୍କ ସହିତ ଖଲିଲ ଅହମ୍ମଦ ଦ୍ରୁତ ବୋଲିଂ ଆକ୍ରମଣ ସମ୍ଭାଳିବାକୁ ଥିଲା ବେଳେ ସ୍ପିନ୍ ବିଭାଗରେ ଚହଲ୍ ଓ ସୁନ୍ଦର ଖେଳିବେ। କୃନାଲ ପାଣ୍ଡ୍ୟା ତୃତୀୟ ସ୍ପିନର କାମ ଚଳାଇବେ। ବ୍ୟାଟିଂରେ ବିଶେଷ କିଛି ପରିବର୍ତନର ଆଭାସ ନାହିଁ। ତଥାପି ଶିଖର ଧାୱନ୍, ଲୋକେଶ ରାହୁଲ୍ ଓ ଋଷଭ ପନ୍ତଙ୍କଠୁ ଦଳ ଅଧିକ ଆଶା ରଖିଥିଲା ବେଳେ ସ୍ଥାନୀୟ ଖେଳାଳି ଦୀନେଶ କାର୍ତିକଙ୍କ ପାଇଁ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଏହି ମ୍ୟାଚ୍ ଗୁରୁତ୍ବ ରଖୁଛି।

ଅନ୍ୟପକ୍ଷରେ କ୍ରିସ୍ ଗେଲ୍, ଏଭିନ୍ ଲୁଇସଙ୍କ ଅନୁପସ୍ଥିତିରେ ଭ୍ରମଣକାରୀ ଇଣ୍ଡିଜ୍ ଦଳ ଚଳିତ ଶୃଙ୍ଖଳାରେ ଚମକ ହରାଇଛି। ଦୀନେଶ ରାମଦୀନ୍, କିରଣ ପୋଲାର୍ଡ ଓ ଡାରେନ୍ ବ୍ରାଭୋଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ଦଳର ଭାଗ୍ୟ ବଦଳାଇ ପାରିନାହାନ୍ତି। ପୁଣି ଦିନିକିଆ ଶୃଙ୍ଖଳାରେ ଭଲ ଫର୍ମ ଦେଖାଇଥିବା ସିମ୍ରନ୍ ହେଟମେୟର ଓ ସାଇ ହୋପ୍ ମଧ୍ୟ ଭାରତୀୟ ବୋଲରଙ୍କୁ ସାମନା କରିବାରେ ସେତେଟା ସଫଳ ହୋଇନାହାନ୍ତି। ତେବେ କାର୍ଲୋସ୍ ବ୍ରାଥୱେଟଙ୍କ ଦଳ ଆସନ୍ତାକାଲିର ମ୍ୟାଚ୍ ଜିତି ସମ୍ମାନର ସହ ସ୍ବଦେଶ ଫେରିବା ଲକ୍ଷ୍ୟ ରଖିଛି। ଭଲ ଫର୍ମରେ ନଥିବାରୁ ଦୀନେଶ ରାମଦୀନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେଇ ଆସନ୍ତାକାଲି ରୋଭମାନ୍ ପାୱେଲଙ୍କୁ ସୁଯୋଗ ମିଳିବ। ଚେପକ୍ ପିଚ୍ ବ୍ୟାଟସମ୍ୟାନଙ୍କୁ ସୁହାଇବ ବୋଲି ଆକଳନ କରାଯାଇଛି। ଏହି ପିଚ୍ ସର୍ବଦା ସ୍ପିନରଙ୍କୁ ସହାୟତା କରୁଥିଲା ବେଳେ କାକର ଏଠାରେ ମ୍ୟାଚରେ ପ୍ରଭାବ ପକାଇବା ନିଶ୍ଚିତ। ଆସନ୍ତାକାଲିର ମ୍ୟାଚ୍ ଏହି ପିଚରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ହେବ। ୬ ବର୍ଷ ତଳେ ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଉତ୍କଣ୍ଠାପୂର୍ଣ୍ଣ ୧ ରନ୍ରେ ଭାରତକୁ ପରାସ୍ତ କରିଥିଲା।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଲୋକେଶ ରାହୁଲ୍, ମନୀଷ ପାଣ୍ଡେ, ଋଷଭ ପନ୍ତ୍, ଦୀନେଶ କାର୍ତିକ (ୱିକେଟ୍ ରକ୍ଷକ), କୃନାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍, ଭୁବନେଶ୍ବର କୁମାର, ୱାସିଂଟନ୍ ସୁନ୍ଦର ଓ ଖଲିଲ ଅହମ୍ମଦ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: କାର୍ଲୋସ୍ ବ୍ରାଥୱେଟ୍ (ଅଧିନାୟକ), ନିକୋଲାସ୍ ପୂରନ୍ (ୱିକେଟ୍ ରକ୍ଷକ), ସାଇହୋପ୍, ସିମ୍ରନ୍ ହେଟମେୟର, ଡାରେନ୍ ବ୍ରାଭୋ, କିରଣ ପୋଲାର୍ଡ, ରୋଭମାନ ପାୱେଲ, କିମୋ ପଲ୍, ଫାବିଏନ୍ ଏଲେନ୍, ଖାରି ପିଏରେ, ଓସାନେ ଥୋମାସ୍।