ଆଜି ଇଣ୍ଡିଆ-ଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ବିଶ୍ୱର ପ୍ରଥମ ଦେଶଭାବେ ୯୫୦ଟି ଦିନିକିଆ ମ୍ୟାଚ୍ ଖେଳିବ ଭାରତ, ଆଉ ଏକ ମାଇଲଖୁଣ୍ଟ ଟପି ପାରନ୍ତି କୋହଲି ।

24

କନକ ବ୍ୟୁରୋ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଆଜି ଦ୍ୱିତୀୟ ମୁକାବିଲା । ବିଶାଖାପାଟଣାର ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଅପରାହ୍ନ ୧.୩୦ରେ ଖେଳାଯିବ ଏହି ମ୍ୟାଚ୍ । ଟେଷ୍ଟ ମ୍ୟାଚ ପରେ ପ୍ରଥମ ଦିନିକିଆରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ବାରମ୍ବାର ପରାଜୟ ବରଣ କରିଥିବା ୱେଷ୍ଟଇଣ୍ଡିଜ୍ ଆଉ ଏକ କଠିନ ପରୀକ୍ଷାର ସମ୍ମୁଖୀନ ହେବ । ଗୌହାଟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଇଣ୍ଡିଜ୍ ୩୨୨ ରନର ବଡ ସ୍କୋର କରିବା ସତ୍ୱେ ପରାଜିତ ହୋଇଥିଲା । ଅଧିନାୟକ ବିରାଟ କୋହଲି ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମାଙ୍କ ନିର୍ମମ ପ୍ରହାର ସହ ୱେଷ୍ଟଇଣ୍ଡିଜ୍ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ । ବିଶାଖାପାଟଣାରେ ଭାରତୀୟ ବୋଲର ଗୌହାଟୀ ଅପେକ୍ଷା ଭଲ ବୋଲିଂ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ଅପର ପକ୍ଷେ ଏହି ମ୍ୟାଚ୍ ଭାରତ ପାଇଁ ରହିଛି ବହୁତ ଖାସ୍ । କାରଣ ଭାରତର ଏହା ହେଉଛି ୯୫୦ ତମ ଦିନିକିଆ ମ୍ୟାଚ୍। ଚତ୍ମକାର ଫର୍ମରେ ଥିବା ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ବଳରେ ଏଠାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଭାରତ ନିଜର ଲୟ ବଜାୟ ରଖିବାକୁ ଚେଷ୍ଟା କରିବ। ଭାରତୀୟ ଅଧିନାୟକ ଯଦି ଏହି ମ୍ୟାଚରେ ୮୧ ରନ କରନ୍ତି ତେବେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପଛରେ ପକାଇ ସବୁଠୁ କମ ପାଳିରେ ୧୦ ହଜାର ରନ ପୂରା କରିବାର ବିଶ୍ଵ ରେକର୍ଡ ସ୍ଥାପନ କରିବେ। ତେନ୍ଦୁଲକର ୨୫୯ଟି ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ କୋହଲି ୨୦୪ ଇନିଂସରୁ ୯୯୧୯ ରନ କରିଛନ୍ତି।