ବିଶାଖାପାଟଣାରେ ଭାରତ-ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକର ଦ୍ୱିତୀୟ ଦିନିକିଆ ! ସଂଘର୍ଷ କରି ମ୍ୟାଚକୁ ଟାଇ ରଖିଲା ୱେଷ୍ଟଇଣ୍ଡିଜ୍ ।

33

କନକ ବ୍ୟୁରୋ : ଟାଇ ହେଲା ମ୍ୟାଚ୍ । ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ଅତି ରୋମାଞ୍ଚର ସହ ଟାଇରେ ଶେଷ ହୋଇଛି । ସଂଘର୍ଷ କରି ଶେଷରେ ମ୍ୟାଚକୁ ଟାଇ କରିଛି ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜକୁ ଶେଷ ବଲରେ ୫ ରନ୍ ଦରକାର ଥିବା ବେଳେ ୪ ରନ୍ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ ୩୨୨ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସ ଖେଳି ମ୍ୟାଚକୁ ଟାଇ କରିଛି। ସାଇ ହୋପ (ଅପରାଜିତ ୧୨୩ ରନ୍) ଓ ସିମରନ୍ ହେଟମେୟର (୯୪ ରନ୍) ବିସ୍ଫୋରକ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ୭ ଓ୍ଵିକେଟ ହରାଇ ୩୨୨ ରନ୍ ସଂଗ୍ରହ କରିଛି।

ଶେଷ ଓଭରରେ ୧୪ ରନ୍ ଦରକାର ଥିବା ବେଳେ ୧୩ ରନ୍ ସଂଗ୍ରହ ହୋଇ ପାରିଥିଲା। ଭାରତର କୁଲଦୀପ ଯାଦବଙ୍କୁ ୩ଟି ଓ୍ଵିକେଟ୍ ମିଳିଥିବା ବେଳେ, ଉମେଶ ଯାଦବ, ମହମ୍ମଦ ସାମି ଓ ୟୁଜବେନ୍ଦ୍ର ଚହଲ ୧-୧ ଓ୍ଵିକେଟ୍ ନେଇଛନ୍ତି । ୫ ଦିନିକିଆ ଶୃଙ୍ଖଳାରେ ଭାରତ ଗୋଟିଏ ମ୍ୟାଚ ଜିତିଥିବା ବେଳେ ୨ୟ ଦିନିକିଆ ଟାଇ ହୋଇଛି । ଦମଦାର୍ ବ୍ୟାଟିଂ କରିଥିବା ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।

ପ୍ରଥମ ଇନିଂସରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ଦ୍ରୁତତମ ଅପରାଜିତ ଶତକ (୧୫୭ ରନ୍, ୧୨୯ ବଲ୍, ୧୩ ଚୌକା, ୪ ଛକା) ବଳରେ ୩୨୧ ରନ୍ ସଂଗ୍ରହ କରିବା ପରେ ୱେଷ୍ଟଇଣ୍ଡିଜ୍କୁ ୩୨୨ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍ ହରାଇ ଏହି ରନ୍ ସଂଗ୍ରହ କରିଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଓ୍ଵାଇଏସ୍ ରାଜଶେଖର ଷ୍ଟାଡିୟମରେ ବୁଧବାର ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।