ସିରିଜ୍ କବଜା ପରେ କ୍ଲିନ୍ ସୁଇପ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ! ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ମନୋବଳ ଦୃଢ଼ କରିବାର ଆଉ ଏକ ସୁଯୋଗ

26

କନକ ବ୍ୟୁରୋ: ସିରିଜ୍ କବଜା ପରେ ଏବେ କ୍ଲିନ୍ ସୁଇପ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ମନୋବଳ ଦୃଢ଼ କରିବା ପାଇଁ ଭାରତ ଆଗରେ ଆଉ ଏକ ସୁଯୋଗ । କ୍ରମାଗତ ୪ଟି ଯାକ ଦିନିକିଆରେ ବିଜୟୀ ହୋଇଥିବା ଭାରତୀୟ ଦଳ, ଆଜିର ମୁକାବିଲା, ଜିତି ସିରିଜ ମୁଳପୋଛ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଶ୍ରୀଲଙ୍କା ଚତୁର୍ଥ ଦିନିକିଆରେ ପରାସ୍ତ ହେବା ପରେ ୨୦୧୯ ବିଶ୍ୱକପରୁ ସିଧାସଳଖ ଯୋଗ୍ୟତା ପାଇବାର ସୁଯୋଗ ହରାଇଛି । ତେଣୁ ଆଜିର ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇ ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ । ତେବେ ଭାରତୀୟ ଦଳର ଓପନର୍ ଶିଖର ଧାୱନଙ୍କ ମା’ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଆଜିର ମ୍ୟାଚ୍ ଏବଂ ଟି-ଟ୍ୱେଂଟି ମ୍ୟାଚ୍ ମଧ୍ୟ ଖେଳିବେ ନାହିଁ ।

ସୂଚନା ମୁତାବକ, ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳାର ପଞ୍ଚମ ତଥା ଶେଷ ଦିନିକିଆ ଆଜି ଅପରାହ୍ନରେ ଖେଳାଯିବ । ଏହି ମୁକାବିଲାରେ ଭାରତ ପାଇଁ ସିଂହଳୀ ଦଳ ବିପକ୍ଷରେ ଲଗାତାର ଦ୍ୱିତୀୟ ୫-୦ ବିଜୟ ହାସଲ କରିବାର ସୁଯୋଗ ରହିବ । ଏହା ପୂର୍ବରୁ ୨୦୧୪ ନଭେମ୍ବରରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ଟିକିଆ ଶୃଙ୍ଖଳାକୁ ଭାରତ ୫-୦ରେ ଜିତି ନେଇଥିଲା । ଚଳିତ ଗସ୍ତରେ ଭାରତ ୩-୦ରେ ଟେଷ୍ଟ ଶୃଙ୍ଖଳା ଜିତି ନେଇଥିଲା ବେଳେ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ମୂଳପୋଛ କରିବା ଦ୍ୱାରରେ ରହିଛି । ପ୍ରଥମ ଚାରିଟି ଦିନିକିଆ ଜିତି ଭାରତ ଏବେ ୪-୦ରେ ଆଗୁଆ ଥିଲା ବେଳେ ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଲାଗି ରବିବାର ମୁକାବିଲା ଶେଷ ସୁଯୋଗ ହେବାକୁ ଯାଉଛି । ଶ୍ରୀଲଙ୍କା ଚତୁର୍ଥ ଦିନିକିଆରେ ପରାଜିତ ହେବା ପରେ ୨୦୧୯ ବିଶ୍ୱକପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ହରାଇ ସାରିଛି । ରବିବାର ବିଜୟୀ ହୋଇ ନ ପାରିଲେ ଆଉ ଏକ ଲଜ୍ଜାଜନକ ଶୃଙ୍ଖଳା ପରାଜୟର ସମ୍ମୁଖୀନ ହେବ । ଶ୍ରୀଲଙ୍କା ଛଡ଼ା ଭାରତ ୨୦୧୦-୧୧ରେ ନ୍ୟୁଜିଲାଣ୍ଡକୁ ଏବଂ ୨୦୧୨-୧୩ରେ ଇଂଲଣ୍ଡକୁ ଘରୋଇ ପରିବେଶରେ ୫-୦ରେ ହରାଇଥିଲା । ଗତ ଏକ ଦଶନ୍ଧି ମଧ୍ୟରେ ଇଂଲଣ୍ଡ ଏକମାତ୍ର ଦଳ ଭାବେ ଭାରତଠାରୁ ଦୁଇ ଥର ୫-୦ ପରାଜୟ ବରଣ କରିଛି । ଇଂଲଣ୍ଡ ୨୦୦୮-୦୯ରେ ମଧ୍ୟ ଭାରତଠାରୁ ୫-୦ ବ୍ୟବଧାନରେ ପରାଜିତ ହୋଇଥିଲା ।

ଆଜିର ମହାମୁକାବିଲା ହାରିଲେ ଇଂଲଣ୍ଡର ଅଲୋଡ଼ା କ୍ଲବରେ ଶ୍ରୀଲଙ୍କା ସାମିଲ ହେବ । ଭାରତ ୪-୦ରେ ଆଗୁଆ ଥିବାରୁ ମନୀଷ ପାଣ୍ଡେ, କୁଲଦୀପ ଯାଦବ ଏବଂ ସାର୍ଦୁଲ ଠାକୁରଙ୍କୁ ନିଜ ପ୍ରତିଭାର ପ୍ରଦର୍ଶନ କରିବାର ଆଉ ଏକ ସୁଯୋଗ ଦେବ । ଶିଖର ଧାଓ୍ଵନ ନିଜ ମା’ଙ୍କ ଦେହ ଖରାପ ପାଇଁ ସ୍ୱଦେଶ ଫେରିବା ପରେ ଶୃଙ୍ଖଳାରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ସୁଯୋଗ ପାଇ ନଥିବା ଅଜିଙ୍କ୍ୟ ରାହାଣେ ରବିବାର ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ଲୋକେଶ ରାହୁଲ ତାଙ୍କୁ ମିଳିଥିବା ସୁଯୋଗର ସଦୁପଯୋଗ କରି ପାରିନାହାନ୍ତି । ତେବେ ଲୟକୁ ଫେରିବା ଲାଗି ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ସେପଟେ ଶ୍ରୀଲଙ୍କା ତା’ର ଚୂଡ଼ାନ୍ତ ଦଳରେ ଗୋଟିଏ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି । ବାସନ୍ଦାଦେଶ ସରିବା ପରେ ନିୟମିତ ଅଧିନାୟକ ଉପୁଲ ତରଙ୍ଗା ଦଳକୁ ଫେରିବେ । ଚତୁର୍ଥ ଦିନିକିଆରେ ଲାହିରୁ ଥିରିମାନେ ତାଙ୍କ ସ୍ଥାନରେ ଖେଳି ଭଲ କରିଥିଲେ । ଏଣୁ ତରଙ୍ଗାଙ୍କୁ ସେ କିମ୍ବା ଅନ୍ୟଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ବାଟ ଛାଡ଼ିବାକୁ ବାଧ୍ୟ ହେବେ ।

ଧାଓ୍ଵନ ଖେଳିବେନି, ରାହାଣେଙ୍କ ସ୍ଥାନ ପକ୍କା

ମା’ଙ୍କ ଦେହ ଖରାପ ଥିବାରୁ ଭାରତୀୟ କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ଵନ ଶନିବାର ସ୍ୱଦେଶ ଫେରି ଆସିଛନ୍ତି । ସେଥିପାଇଁ ସେ ରବିବାର ଖେଳାଯିବାକୁ ଥିବା ଭାରତ-ଶ୍ରୀଲଙ୍କା ପଞ୍ଚମ ଦିନିକିଆ ଏବଂ ଆସନ୍ତା ୬ ତାରିଖରେ ଖେଳା ଯିବାକୁ ଥିବା ଏକମାତ୍ର ଟି-ଟ୍ୱେଂଟି ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇନାହିଁ । ଶିଖର ଭାରତ ଫେରିବା ପରେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବା ପକ୍କା ହୋଇ ଯାଇଛି । ସେ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବେ ।