ଆଜି ଭାରତ-ଶ୍ରୀଲଙ୍କା ଦୃଷ୍ଟିହୀନ କ୍ରିକେଟ୍ ! କଟକ ନିମପୁରରେ ଖେଳାଯିବ ମ୍ୟାଚ୍, ଉଭୟ ଦଳର ଜୋରଦାର ପ୍ରସ୍ତୁତି ।

29

ଭାରତ-ଶ୍ରୀଲଙ୍କା ଦ୍ବିପାକ୍ଷିକ ଦୃଷ୍ଟିହୀନ କ୍ରିକେଟ୍ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଗୁରୁବାର କଟକର ନିମପୁର ପଡ଼ିଆରେ ଖେଳାଯିବ। ଏଥିଲାଗି ଉଭୟ ଭାରତ ଓ ଶ୍ରୀଲଙ୍କା ଦଳ ବୁଧବାର ପୂର୍ବାହ୍ନରେ ଭୁବନେଶ୍ବର ପହଞ୍ଚି ସାରିଛନ୍ତି। ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇଛି। ଉଭୟ ଦଳ ସ୍ଥାନୀୟ ଜିଜଂର ହୋଟେଲରେ ଅବସ୍ଥାନ କରୁଛନ୍ତି। ଆଜି ଭାରତୀୟ ଖେଳାଳୀମାନେ ନିମପୁର ପଡ଼ିଆରେ ଅଭ୍ୟାସ କରିଥିବା ବେଳେ ଶ୍ରୀଲଙ୍କା ଖେଳାଳୀମାନେ ଭୁବନେଶ୍ବରରେ ଅଭ୍ୟାସ କରିଥିଲେ। ଗୁରୁବାର ସକାଳ ୭ଟା ୧୫ରେ ଖେଳାଳିମାନେ ନିମପୁର ପଡ଼ିଆ ଅଭିମୁଖେ ଯାତ୍ରା କରିବେ। ୯.୧୦ରେ ଟସ୍ ହେବା ପରେ ସାଢ଼େ ୯ଟାରୁ ଖେଳ ଆରମ୍ଭ ହେବ। ମ୍ୟାଚଟି ୪୦ ଓଭର ବିଶିଷ୍ଟ ରହିବ।

ଭାରତୀୟ ଦଳରେ ଦୁଇ ସ୍ଥାନୀୟ ଖେଳାଳି ଜଫର ଇକବାଲ ଏବଂ ଲିଙ୍ଗରାଜ ରାଉତରା ସ୍ଥାନ ପାଇଛନ୍ତି। ମ୍ୟାଚ୍ ଦେଖିବା ସହ ଭାରତୀୟ ଦଳକୁ ସମର୍ଥନ କରିବା ଲାଗି ଅଧିକରୁ ଅଧିକ କ୍ରିକେଟ୍ ପ୍ରେମୀ ନିମପୁର ପଡ଼ିଆ ଆସିବାକୁ ରାଜ୍ୟର ପ୍ରସିଦ୍ଧ ବିଶ୍ବକପ୍ ବିଜୟୀ ଦୃଷ୍ଟିହୀନ କ୍ରିକେଟର ଜାଫର ଇକବାଲ ଅନୁରୋଧ କରିଛନ୍ତି। ଦ୍ବିପାକ୍ଷିକ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମଙ୍ଗଳବାର ଦିଲ୍ଲୀରେ ଖେଳା ଯାଇ ସାରିଛି। ଦ୍ବିତୀୟ ଗୁରୁବାର କଟକରେ ଆୟେଜିତ ହେବା ପରେ ତୃତୀୟ ତଥା ଶେଷ ମୁକାବିଲା କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଖେଳାଯିବ। ରାଜ୍ୟ ଯୁବସେବା ଓ କ୍ରୀଡ଼ା ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ପ୍ରଦାନ କରିଥିବା ମ୍ୟାଚ୍ ଲାଗି ୨୧ଲକ୍ଷ ୬୪ହଜାର ଟଙ୍କାର ବ୍ୟୟ ବରାଦ ରଖା ଯାଇଛି। ମ୍ୟାଚର ପ୍ରସାରଣ ଦୂରଦର୍ଶନ ସହ ୟୁ-ଟୁବରେ ମଧ୍ୟ ହେବ।