ଆଜି ଦ୍ୱିତୀୟ ଦିନିକିଆ ! ମୋହାଲିରେ ପ୍ରତିଶୋଧ ନେବା ଲକ୍ଷ୍ୟ

31

କନକ ବ୍ୟୁରୋ: ଧର୍ମଶାଳାରେ ଧରାଶାୟୀ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ଆଜି ମୋହାଲିରେ ଖେଳିବ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ । ଶୃଙ୍ଖଳାରେ କାଏମ ରହିବା କିମ୍ବା ଜିତିବା ଆଶାକୁ ବଳବତ୍ତର ରଖିବା ଲାଗି ମୋହାଲିରେ ଭାରତକୁ ଜିତିବା ଜରୁରୀ ହୋଇପଡ଼ିଛି । ଲମ୍ବା ଘରୋଇ ଋତୁରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଧର୍ମଶାଳା ପରାଜୟ ଏବେ ଦଳ ପାଇଁ ଆତ୍ମଚିନ୍ତନର ସମୟ ଆଣିଛି । ଏହା ମଧ୍ୟ କୋଲକାତା ଟେଷ୍ଟରେ ଭାରତୀୟ ଦଳର ପ୍ରଥମ ପାଳି ବିପର୍ଯ୍ୟୟକୁ ପୁଣି ଚର୍ଚା ପରିସର ଭୁକ୍ତ କରିଛି । ଏହି ମ୍ୟାଚ୍ ମଧ୍ୟ ମଧ୍ୟାହ୍ନ ୧୧.୩୦ରେ ଆରମ୍ଭ ହେବ ।

ଧର୍ମଶାଳାରେ ମହେନ୍ଦ୍ର ସିଂହ ଧୋନି ୬୫ ରନର ଆବଦାନ ରଖିନଥିଲେ ହୁଏତ ଭାରତ ନିଜର ସର୍ବନିମ୍ନ ସ୍କୋର୍ କରିଥାନ୍ତା । ଶିଖର ଧାଓ୍ଵନ ଓ ରୋହିତ ଶର୍ମାଙ୍କ ସଅଳ ବିଦାୟ ପରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ଏହାର ଫାଇଦା ଉଠାଇ ପାରିନଥିଲେ । ନିଜର ପ୍ରଥମ ଅଧିନାୟକତ୍ୱ ମ୍ୟାଚରେ ପରାଜୟ ବରଣ କରିଥିଲେ ମଧ୍ୟ ରୋହିତ ଶର୍ମା କହିଛନ୍ତି ଦଳ ଏଥିରୁ ଅନେକ କିଛି ଶିଖିଛି । ଦଳୀୟ ଏକାଦଶକୁ ନେଇ ରୋହିତ ବିଶେଷ ଚିନ୍ତିତ ନ ଥିଲେ ମଧ୍ୟ ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟକ୍ରମରେ ଖେଳାଇବା ଲକ୍ଷ୍ୟରେ ଅଛନ୍ତି । ଧର୍ମଶାଳାରେ ଭାରତୀୟ ସ୍ପିନରଙ୍କୁ ବୋଲିଂ କରିବାକୁ ପଡ଼ିନଥିଲା । ଫଳରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ମାସକ ପରେ ପୁଣି ବୋଲିଂ କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ ୧୨ ମ୍ୟାଚ୍ ପରାଜୟ ଧାରାକୁ ରୋକିବା ପରେ ଶ୍ରୀଲଙ୍କାର ମନୋବଳ ଉପରମୁହାଁ ହୋଇଛି। ବିଶେଷ କରି ସୁରଙ୍ଗା ଲକମଲ୍ ଓ ଆଞ୍ଜେଲୋ ମାଥ୍ୟୁସ ଯେଭଳି ବୋଲିଂ କଲେ ତାହା ଅତିଥି ଦଳର ଆତ୍ମବିଶ୍ୱାସ ବଢ଼ାଇଛି । ମୋହାଲି ପିଚ୍ ପାରମ୍ପାରିକ ଭାବେ ଦ୍ରୁତ ବୋଲରଙ୍କୁ ସହାୟତା ଦେଉଥିବାବେଳେ ଏଥର ମଧ୍ୟ ସେଭଳି ଆକଳନ କରାଯାଇଛି । ଗତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆରେ ମ୍ୟାଚରେ ଦ୍ରୁତ ବୋଲରମାନେ ୧୩ ଓ୍ଵିକେଟ୍ ନେଇଥିଲେ । ବିରାଟ କୋହଲିଙ୍କ ୧୫୪ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଦାୟିତ୍ୱପୂର୍ଣ୍ଣ ୮୦ରନ୍ ବଳରେ ଭାରତ ୨୮୬ ରନକୁ ପଛରେ ପକାଇଥିଲା ।

ଭାରତ (ସମ୍ଭାବ୍ୟ ୧୧): ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଶ୍ରେୟସ ଆୟର୍, ଦୀନେଶ କାର୍ତିକ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ/ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ୍।

ଶ୍ରୀଲଙ୍କା (ସମ୍ଭାବ୍ୟ ୧୧): ଉପୁଲ ଥରଙ୍ଗା, ଦାନୁଷ୍କ ଗୁଣତିଳକ, ସଦୀରା ସମରବିକ୍ରମା/କୁସଲ ପେରେରା/ଲାହିରୁ ଥିରିମାନେ, ନିରୋଶନ ଡିକେଓ୍ଵଲା (ଓ୍ଵିକେଟରକ୍ଷକ), ଆଞ୍ଜେଲୋ ମାଥ୍ୟୁସ, ତିସରା ପେରେରା (ଅଧିନାୟକ), ଆସେଲା ଗୁଣରତ୍ନେ, ଚତୁରଙ୍ଗା ଡି’ ସିଲଭା/ସଚିତ ପଥିରଣା/ଦୁଷ୍ମନ୍ତ ଚାମିରା, ସୁରଙ୍ଗା ଲାକମଲ, ନୁଓ୍ଵାନ ପ୍ରଦୀପ, ଅଖିଳ ଧନଞ୍ଜୟ।