୨୦୧୫ ମସିହା , ଟି-୨୦ ମ୍ୟାଚକୁ ନେଇ ଐତିହାସିକ ବାରବାଟୀ ହୋଇଥିଲା ବଦନାମ୍ ! କାହିଁକି ଜାଣନ୍ତୁ 

77
୨୦୧୫ ମସିହା  । ଅକ୍ଟୋବର ୫ ତାରିଖ  । ସୋମବାର ଅପରାହ୍ଣ  । ସମୟ ପାଖାପାଖି ୪ଟା  । ଦକ୍ଷିଣ ଆଫ୍ରିକା – ଭାରତ ଟି-୨୦ ମ୍ୟାଚ୍ ଦେଖିବାକୁ ବାରବାଟୀ ଷ୍ଟାଡ଼ିୟମ୍ ଆଗରେ ଲାଗିଥିଲା ଅସମ୍ଭବ ଗହଳି  । ବାଉନ ବଜାର ତେପନ ଗଳିର କଟକ ସହର ହୋଇ ଉଠିଥିଲା କ୍ରିକେଟମୟ  । କ୍ରିକେଟ୍ କ୍ରେଜରେ ଷ୍ଟାଡ଼ିୟମ ପରିସରର ବଦଳି ସାରିଥିଲା କଳେବର  । ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବାକୁ କେଉଁ ପ୍ରଶଂସକ ନିଜକୁ ରଙ୍ଗେଇଥିଲେ କ୍ରିକେଟର ରଙ୍ଗରେ ତ ପୁଣି କେହି ହାତରେ ଧରିଥିଲେ ତ୍ରିରଙ୍ଗା  ।
ଆରମ୍ଭ ହୋଇଥିଲା ମ୍ୟାଚ୍ ନିର୍ଦ୍ଧାରିତ ସମୟରେ  । ଗ୍ୟାଲେରିରେ ଉତ୍ସାହିତ ଥିଲେ ଦର୍ଶକ  । ସାମ୍ନାରେ ଥିଲେ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳୀ  । ତେବେ ନିୟମିତ ବ୍ୟବଧାନରେ ଭାରତର ୱିକେଟ୍ ପଡ଼ିବା ଯୋଗୁ କ୍ରେଜି କ୍ରିକେଟ୍ ଫ୍ୟାନଙ୍କ ମନରେ କୁହୁଳିବା ଆରମ୍ଭ କଲା  ଅସନ୍ତୋଷର ନିଆଁ  । ଦକ୍ଷିଣ ଆଫ୍ରିକାଠାରୁ ଲଜ୍ଜାଜନକ ଭାବେ ଭାରତ ହାରିବା ପରେ ବଦଳି ଯାଇଥିଲା କଟକର କାହାଣୀ  । ବେକାବୁ ହୋଇସାରିଥିଲା ବାରବାଟୀ  । ଫ୍ୟାନ୍ ମହଲରେ ଘୋଟି ଯାଇଥିଲା ନିରାଶାର କଳା ବାଦଲ  । ନା ଦେଖିବାକୁ ମିଳିଲା କୋହଲି କୁମାରଙ୍କ କମାଲ୍ କରିସ୍ମା ନା ରୋହିତ ,ରାଇନାଙ୍କ ରଫଟଫ୍ ସଟ୍  । ନା ଥିଲା ଧୋନିଙ୍କ ଧମାଲ୍ ନା ହରଭଜନଙ୍କ ମନମତାଣିଆ ଇନିଂସ  ।
ଟିମ୍ ଇଣ୍ଡିଆର ବ୍ୟାଟ୍ସ ବାହିନୀ ଆଣ୍ଠେଇ ପଡ଼ିଥିଲା ୟେଲୋ ଜର୍ସିର ଧୂଆଁଧାର ବୋଲିଂ ଆଟାକ୍ ଆଗରେ  । ସବୁ ଦିନ ପରି ସେଦିନ ମଧ୍ୟ ଷ୍ଟାଡ଼ିୟମର ସବୁ ଗ୍ୟାଲେରି ଭର୍ତି ଥିଲା । ଷ୍ଟାଡ଼ିୟମରେ ଥିଲା ନାହିଁନଥିବା ଭିଡ଼  । ଆରମ୍ଭ ହେଲା ମ୍ୟାଚ୍  । ନିଜ ନିଜ ପ୍ରିୟ ଦଳକୁ ଚିୟର୍ ଅପ୍ କରିବା ଆରମ୍ଭ କରନ୍ତି ଦର୍ଶକ  । ଚଉକା ଛକା ହେଲେ ବାଜେ ତାଳି  । ୱିକେଟ୍ ପଡ଼ିଲେ ବାଜେ ହୁଇସିଲ୍ ଆଉ ସିଟି  । ପ୍ରତିକ୍ରିୟା ପ୍ରକାଶ କରନ୍ତି ଦର୍ଶକ  । ବାରବାଟୀର ଦୃଶ୍ୟପଟ୍ଟ ସେଦିନ ଥିଲା ସବୁଦିନ ପରି  । ତେବେ ଭାରତ ହାରିବା ପରେ ଦର୍ଶକ ଗ୍ୟାଲେରୀରେ ବିଶୃଙ୍ଖଳା ଆରମ୍ଭ ହୋଇ ସାରିଥିଲା  । ଆରମ୍ଭ ହୋଇଯାଇଥିଲା ହୋ ହଲ୍ଲା  । ପଡିଆ ମଧ୍ୟକୁ ଅନେକ ଦର୍ଶକ ପାଣି ବୋତଲ୍ ଫୋପାଡିଥିଲେ । ତେବେ ଏଠାରେ ଦର୍ଶକଙ୍କ ବିଶୃଙ୍ଖଳିତ ଆଚରଣ ଶାଳୀନତାର ସବୁ ସୀମା ଅତିକ୍ରମ କରି ଯାଇଥିଲା  ।ବାରବାଟୀ ମଇଦାନ କ୍ରମେ ରୂପ ନେଉଥିଲା ଏକ ଯୁଦ୍ଧ ପଡ଼ିଆର  । ବାରବାଟି ପଡ଼ିଆ ସେତେବେଳକୁ ହୋଇସାରିଥିଲା ବଦନାମ୍ ଓ ବୋତଲମୟ  । ଅସହାୟ ଦିଶୁଥିଲା ଓସିଏ ଓ କମିଶନରେଟ୍ ପୋଲିସ  । ବର୍ଷ ୨୦୧୫ରେ କଟକ ଆଉ ବାରବାଟୀ ଇତିହାସରେ ସେତେବେଳକୁ ଯୋଡ଼ି ହୋଇ ସାରିଥିଲା ଏହି କଳଙ୍କିତ ଫର୍ଦ୍ଦ  । ଏହାକୁ ନେଇ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା ଭାରତୀୟ କ୍ରିକେଟ ଜଗତରେ  । ଉଭୟ ରାଜନୈତିକ ଓ ପୋଲିସ୍ ପ୍ରଶାସନ ଦୃଷ୍ଟିକୋଣରୁ ଏହାକୁ ନେଇ ଆରମ୍ଭ ହୋଇଥିଲା ଘଟଣାର ପୋଷ୍ଟମର୍ଟମ୍  ।
ବାରବାଟୀ ବଦନାମ୍ ହେବା ପଛରେ ଖୋଜା ଚାଲିଥିଲା କାରଣ  । ହେଲେ ସେତିକି ବେଳକୁ ବିଶୃଙ୍ଖଳିତ ଦର୍ଶକଙ୍କ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍ ମାନଚିତ୍ରରେ ନିନ୍ଦିତ ହୋଇସାରିଥିଲା ବାରବାଟୀ  । ଦର୍ଶକଙ୍କ ବିଶୃଙ୍ଖଳା ଯୋଗୁ ଆଗାମୀ ଦିନରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ନହେବାର ଆଶଙ୍କା ସୃଷ୍ଟି ହୋଇଥିଲା  । ଏଥିପାଇଁ ଦାୟୀ କିଏ ? ବଦନାମ ବାରବାଟୀର ଭାଗ୍ୟରେ କ’ଣ ଲେଖା ଅଛି ଆଗକୁ ? ଏଭଳି ଅନେକ ପ୍ରଶ୍ନର ଉତର ଖୋଜା ଚାଲିଲା ବେଶ କିଛି ସମୟ  । ଚାଲିଲା ସମୀକ୍ଷା ପରେ ସମୀକ୍ଷା  । ଅନେକ ବରିଷ୍ଠ ଖେଳାଳୀ ଓ କ୍ରିକେଟ ବିଶେଷଜ୍ଞ ବାରବାଟୀର ଅନ୍ତର୍ଜାତୀୟ ମାନ୍ୟତା ରଦ୍ଦ କରିବା ଉଚିତ ବୋଲି ଯୁକ୍ତି ବାଢିଥିଲେ ଏହି ପରିପ୍ରେକ୍ଷୀରେ  ।ବର୍ଷ ୨୦୧୫ରେ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ସାମ୍ନା କରିବାକୁ ପଡ଼ିଥିଲା ଓଡ଼ିଶାର ଗର୍ବ ଓ ଗୌରବ ବାରବାଟୀ ଷ୍ଟାଡ଼ିୟମକୁ  । ସବୁଠାରୁ ଅଧିକ ବିବାଦ ସୃଷ୍ଟି କରିଥିଲା ଲିଟିଲ୍ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ପ୍ରତିକ୍ରିୟା  । ଗାଭାସ୍କର ଏହି ମାମଲାରେ କହିଥିଲେ କଟକକୁ ଅତିକମରେ ୫ ବର୍ଷ ପାଇଁ କୌଣସି ମ୍ୟାଚ ମିଳିବା କଥା ନୁହେଁ  । ଏହାକୁ କାଉଂଟର୍ କରିଥିଲା ଓସିଏ  । ତେବେ ଅନେକ ଏହି ଘଟଣା ପଛରେ ଓସିଏରେ ଗୋଷ୍ଠୀକନ୍ଦଳକୁ କାରଣ ବୋଲି କହିଥିଲେ  । କିଛି ନିର୍ଦ୍ଦିଷ୍ଟ ବିଶୃଙ୍ଖଳିତ ଦର୍ଶକଙ୍କ ଯୋଗୁଁ ଅନ୍ତର୍ଜାତୀୟ ଦରବାରରେ ଅପମାନିତ ହୋଇଥିଲା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍  । ଖରାପ ହୋଇଥିଲା ଭାଇଚାରାର ସହର କଟକ ସହ ବାରବାଟୀ ଷ୍ଟାଡ଼ିୟମର ଛବି  । କଳଙ୍କ ମୁଣ୍ଡାଇବାକୁ ପଡ଼ିଥିଲା କଟକକୁ  । ତେବେ ଦର୍ଶକଙ୍କ ବିଶୃଙ୍ଖଳା ଯାହା କ୍ଷତି ଘଟାଇଲା ବାରବାଟିର ତାହାର ଭରଣା କରିବାକୁ ହୁଏ ତ ଅନେକ ବର୍ଷ ଲାଗି ଯାଇପାରେ ଏଥିରେ ନଥିଲା କାହାର ହେଲେ ଦ୍ୱିମତ  । ରାଜ୍ୟ କ୍ରିକେଟପ୍ରେମୀ ମହଲରେ ଗୋଟିଏ ସ୍ୱର ଶୁଭୁଥିଲା ଆଗକୁ ନ ଆସୁ ଏମିତି ଦିନ  ।