କେପଟାଉନରେ ଭାରତକୁ ସାହା ହେଲେ ପାଣ୍ଡ୍ୟା! ଟପ ଅର୍ଡର ଫେଲ ମାରିଲେ, ଅଲରାଉଣ୍ଡର ବଞ୍ଚାଇ ଦେଲେ

35

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ରକ୍ଷାକର୍ତ୍ତା ସାଜିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର । ସାଉଥ ଆଫ୍ରିକାର ଶାଣିତ ବୋଲିଂ ଆକ୍ରମଣରେ ଭାରତର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଥିବା ବେଳେ ଏହି ଦୁଇ ଯୁବ ଖେଳାଳି ଭାରତ ପାଇଁ ସଙ୍କଟମୋଚନ ସାଜିଛନ୍ତି । ହାର୍ଦ୍ଦିକ ଚିରାଚରିତ ଢଙ୍ଗରେ ଖେଳିବା ସହ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଏଥିରେ କ୍ରିଜର ଅନ୍ୟ ପଟେ ଭୁବନେଶ୍ୱର କୁମାର ନିଜର ଜଲୱା ଦେଖାଇଛନ୍ତି । ଚା’ ବରିତି ବେଳକୁ ଭାରତ ୭ ୱିକେଟ ହରାଇ ୧୮୫ ରନ କରିଛି । ପାଣ୍ଡ୍ୟାଙ୍କ ଦମଦାର ୮୧ ରନ ଓ ଭୁବନେଶ୍ୱର କୁମାରଙ୍କ ୨୪ ରନ ବଳରେ ଭାରତ ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛି । ଯେଉଁ ପିଚରେ ଭାରତର ଟପ ଅର୍ଡର ବ୍ୟାଟସମ୍ୟାନ ଫେଲ ମାରିଛନ୍ତି ସେହି ପିଚରେ ଏହି ଦୁଇ ଯୁବ ପ୍ଲେୟାର ଜବରଦସ୍ତ ଇନିଂସ ଖେଳିବା ସହ ଦକ୍ଷିଣ ଆଫ୍ରିକାର ଚିନ୍ତା ବଢାଇଦେଇଛନ୍ତି ।

pandya_647_010618062341ଦକ୍ଷିଣ ଆଫ୍ରିକାକୁ ୨୮୬ ରନରେ ଅଲଆଉଟ କରିବା ପରେ ପଡିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲା ଭାରତୀୟ ଦଳ । କିନ୍ତୁ ଦକ୍ଷିଣ ଆଫ୍ରିକାର ଶାଣିତ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ ଭାରତୀୟ ଟପ ଅର୍ଡର ବ୍ୟାଟସମ୍ୟାନ । ପ୍ରତିଟି ବଲ ଖେଳିବାକୁ ଭାରତୀୟ ବ୍ୟାଟସମ୍ୟାନଙ୍କୁ କରିବାକୁ ପଡୁଥିଲା ସଂଘର୍ଷ । ବିଜୟ ୧ ରନ କରି ପ୍ରଥମ ଓଭରରେ ଆଉଟ ହେବା ସହ ଭାରତକୁ ଲାଗିଥିଲା ଜବରଦସ୍ତ ଝଟକା । ସେହିଭଳି ଶିଖର ଧୱନ ମଧ୍ୟ ସେଭଳି ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ୧୬ ରନ କରି ଷ୍ଟେନଙ୍କ ଶିକାର ହୋଇଥିଲେ ଶିଖର । ଏପରିକି କ୍ୟାପଟେନ କୋହଲି ମଧ୍ୟ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ମାତ୍ର ୫ ରନ କରି ମୋକର୍ଲ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ କୋହଲି ।

ସେହିଭଳି ରୋହିତ ଶର୍ମା ମଧ୍ୟ ଏହି ପିଚରେ ଖେଳିବାକୁ ସଂଘର୍ଷ କରିଥିଲେ । ମାତ୍ର ୧୧ ରନ କରି ରବଡାଙ୍କ ବଲରେ ଏଲବିଡବ୍ଲୁ ହୋଇ ପ୍ୟାଭିଲିୟନକୁ ଫେରିବା ସହ ଭାରତର ଚତୁର୍ଥ ୱିକେଟର ପତନ ଘଟିଥିଲା । ଏହାପରେ ପୂଜାରା, ଅଶ୍ୱିନ ଓ ଶାହା ସହଳ ପ୍ୟାଭିଲିୟନ ଫେରିବା ଭାରତ ପାଇଁ ଚିନ୍ତା ବଢାଇ ଦେଇଥିଲା । ତେବେ ଅଷ୍ଟମ ୱିକେଟ ପାଇଁ ଭୁବନେଶ୍ୱର କୁମାର-ପାଣ୍ଡ୍ୟାଙ୍କ ଦମଦାର ଇନିଂସ ବଳରେ ଭାରତ ୧୫୦ ରନ ପାର କରିଥିଲା । ଯାହା ଭାରତକୁ ସାମନ୍ୟତମ ଆଶ୍ୱସ୍ତି ପ୍ରଦାନ କରିଛି । ଏପରିକି ଫଲୋଅନରୁ ରକ୍ଷା ପାଇ ଯାଇଛି ଭାରତ । ତେବେ ପାଣ୍ଡ୍ୟାଙ୍କ ଶତକ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।