ଡିନର ପ୍ଲେଟରେ ବିରାଟ୍, ଧୋନି ଓ ଧାୱନ । ଓସିଏ କ୍ଲବରେ ଖେଳାଳିଙ୍କ ନାଁରେ ସ୍ପେସାଲ ଡିସ୍

149

କୋଟି କୋଟି କ୍ରିକେଟପ୍ରେମୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ବିଶ୍ବକପ୍ରେ ଭାରତ-ପାକିସ୍ତାନ ମହାମୁକାବିଲା ପାଇଁ ବିଗୁଲ ବାଜିଛି। ମଞ୍ଚ ଓ ଖେଳାଳି ବି ପ୍ରସ୍ତୁତ ଅଛନ୍ତି। ଆଉ ମାତ୍ର କିଛି ଘଣ୍ଟା ପରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଚାଲିବ ମହାଲଢ଼େଇ। ଚିର ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ। ସାରା ବିଶ୍ବର ନଜର ରହିଛି ଏହି ମ୍ୟାଚ୍ ଉପରେ। ଉଭୟ ଭାରତ ଓ ପାକିସ୍ତାନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ରଜ ମଉଜ ଭିତରେ ମାଞ୍ଚେଷ୍ଟର ମ୍ୟାଚକୁ ନେଇ ଏବେ ପାନ ଦୋକାନଠାରୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ସବୁଠି ଚର୍ଚା। ଟିମ୍ ଇଣ୍ଡିଆ ବିଜୟକୁ ନେଇ ଭାରତରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପାକିସ୍ତାନରେ ମାହୋଲ ମଧ୍ୟ ବେଶ୍ ଉତ୍ସବମୁଖର ରହିଛି। ଭାରତ-ପାକିସ୍ତାନ ସଂପର୍କରେ ତିକ୍ତତା ସହ ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତାର ଲଢ଼େଇ ପାଇଁ ଏହି ମ୍ୟାଚର ମହତ୍ବ ଆହୁରି ବଢ଼ିଯାଇଛି। ଏହି ଦୁଇ ଦକ୍ଷୀଣ ଏସୀୟ ପଡ଼ୋଶୀ ଆଜି ବିଶ୍ବକପରେ ସପ୍ତମ ଥର ପାଇଁ ପରସ୍ପରକୁ ଭେଟିବେ।

ତେବେ ଚଳିତ ବିଶ୍ବକପର ଉତ୍ସାହ ଓ ଉନ୍ମାଦନାକୁ ଦୃଷ୍ଟିରେ ରଖି ଓସିଏ କ୍ଲବ୍‌ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ବିଶେଷ କରି ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ବଡ଼ ଧରଣର କ୍ରିକେଟ ଥିମରେ କ୍ଲବର କନ୍‌ଫରେନ୍ସ ହଲକୁ ସଜାଯାଇଛି। ହଲ୍‌ ଭିତରେ ବଡ ଏଲଇଡି ଡିଜିଟାଲ୍‌ ସ୍କ୍ରିନ୍‌ ଲଗାଯାଇଥିଲାବେଳେ ଚାରିଆଡେ ଭାରତୀୟ ଖେଳାଳିଙ୍କ ଫଟୋ ଲଗାଯାଇଛି। ଆଗରେ କୃତ୍ରିମ ଘାସ ଲଗାଯାଇ ସବୁଜ ପିଚ୍‌ ଓ ଵିକେଟ ରଖାଯାଇଛି। କନ୍‌ଫରେନ୍ସ ହଲରେ ମ୍ୟାଚକୁ ଉପଭୋଗ କରିବା ସହିତ ସ୍ବତନ୍ତ୍ର ଧରଣର ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଖେଳାଳିଙ୍କ ନାମରେ ଉକ୍ତ ଖାଦ୍ୟଗୁଡିକୁ ଖାଇବାକୁ ଦିଆଯିବ। ଷ୍ଟାର୍ଟର ମଧ୍ୟରେ କୋହଲି ଆମେରିକାନ କର୍ନ, ଶିଖର ଚିକେନ କବାବ, ଧୋନି ଫିସ୍‌ ଫିଙ୍ଗର, ପାଣ୍ତିଆ ପିନଟ୍‌ ମସାଲା, ରାହୁଲ ଚଟପଟି ଏବ˚ ମେନ୍‌ କୋର୍ସରେ ଭୁବନେଶ୍ବର ଭେଜ୍‌ ବିରିୟାନି, ବୁମରା ଚିକେନ ବିରିୟାନି, ରୋହିତ ରାଇତାକୁ ସାମିଲ କରାଯାଇଛି। ଷ୍ଟାର୍ଟରଗୁଡିକର ଦର ୧୫୦ରୁ ଆରମ୍ଭ ହେଉଥିବାବେଳେ ଭେଜ୍‌ ବିରିୟାନି ୨୫୦ ଟଙ୍କା ଓ ଚିକେନ୍‌ ବିରିୟାନି ୩୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। କ୍ଲବ୍‌ର ସଦସ୍ୟ ଓ ଅତିଥିମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଦିନ ୨ଟାରୁ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ହଲ୍‌ ଖୋଲା ରହିବ ବୋଲି ଓସିଏ କ୍ଲବ୍‌ ସାଧାରଣ ପରିଚାଳକ ସୁବ୍ରତ କୁମାର ସାମଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଖାଦ୍ୟ ବାଢିବା ପାଇଁ ୧୧ଜଣିଆ ସର୍ଭିସ୍‌ ଟିମ୍‌ ମଧ୍ୟ ଚୟନ କରାଯାଇଛି। ସେମାନେ ଭାରତୀୟ ଦଳର ଜର୍ସି ପିନ୍ଧି ଖାଦ୍ୟ ପରସିବେ। କେବଳ କନ୍‌ଫରେନ୍ସ ହଲ୍‌ ନୁହେଁ ବାର‌୍‌ ମଧ୍ୟରେ ବି ବଡ ସ୍କ୍ରିନ୍‌ ଓ କ୍ରିକେଟ ଥିମ୍‌ରେ ସଜାଯାଇଛି। କିଛି ନିର୍ଦ୍ଧିଷ୍ଟ ବ୍ରାଣ୍ତର ମଦ ଉପରେ ଲକି କୁପନ ବ୍ୟବସ୍ଥା କରାଯାଇଛି। ଏଥିସହିତ ଗ୍ରାହକଙ୍କ ମନୋର˚ଜନ ପାଇଁ ଆଉ ଏକ ସ୍କ୍ରିନ୍‌ରେ ଜୟଷ୍ଟିକ୍‌ରେ ଖେଳିବା ବ୍ୟବସ୍ଥା କରାଯାଇଥିବା ଶ୍ରୀ ସାମଲ ସୂଚନା ଦେଇଛନ୍ତି।