ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ଫାଇନାଲ ଟକ୍କର । ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଆଜି ରାତିରେ ଟ୍ରଫି ପାଇଁ ହେବ ସଂଘର୍ଷ

41

କନକ ବ୍ୟୁରୋ: ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ପୁଣି ଥରେ ପାକିସ୍ତାନକୁ ଭେଟିବ। ଉଭୟ ଦୁଇ ଥର ଲେଖାଏଁ ଏହି ମୁକୁଟ ଜିତି ସାରିଛନ୍ତି। ଏଥର ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିବା ଭାରତ ମଧ୍ୟ ଗତ ସଂସ୍କରଣ ଫାଇନାଲରେ ଏହି ଦେଶକୁ ହରାଇ ବିଜେତା ହୋଇଥିଲା। ଶନିବାର ପ୍ରଥମ ସେମିଫାଇନାଲରେ ପାକିସ୍ତାନ ପେନାଲଟି ସୁଟଆଉଟରେ ମାଲେସିଆକୁ ୩-୧ (୪-୪)ରେ ପରାସ୍ତ କରିଥିଲା। ରାତିରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ୩-୨ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟୀ ଜାପାନକୁ ହରାଇ ଦେଇଥିଲା। ରବିବାର ଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି ୧୦.୪୦ ମିନିଟରେ ଖେଳାଯିବ।

ଭାରତ ପାଇଁ ଗୁରଜାଣ୍ଟ ସିଂହ ୧୯ତମ ମିନିଟରେ ପ୍ରଥମ ଗୋଲ ଦେଇଥିବାବେଳେ ଦଳର ଚତୁର୍ଥ ପେନାଲଟି କର୍ନରରୁ ଚିଙ୍ଗଲସାନା କାଙ୍କୁଜାମ ଅନ୍ୟ ଗୋଲଟି ଦେଇଥିଲେ। ଭାରତ ପାଇଁ ତୃତୀୟ ଗୋଲଟି ଦିଲପ୍ରୀତ୍ ସିଂହ ୫୫ତମ ମିନିଟ୍ରେ ଦେଇଥିଲେ। ଜାପାନ ଏହାର ଉଭୟ ଗୋଲ ପେନାଲଟି କର୍ନରୁ ଦେଇଥିଲେ ମଧ୍ୟ ବିଶେଷ ପ୍ରଭାବ ଛାଡ଼ି ପାରିନଥିଲା। ଏହି ବିଜୟ ସହିତ ଭାରତ ମଧ୍ୟ ଜାପାନ ବିପକ୍ଷରେ ରଖିଥିବା ପ୍ରାଧାନ୍ୟକୁ ଆଗକୁ ନେଇଛି। ୨୩ ମୁକାବିଲାରୁ ଭାରତ ୧୯ତମ ବିଜୟ ହାସଲ କରିଛି। ଭାରତ ମାତ୍ର ୩ ଥର ହାରିଛି ଜାପାନଠୁ। ଶନିବାର ସେମିଫାଇନାଲରେ ପ୍ରଭାବୀ ଖେଳ ଦେଖାଇଥିବା ଆକାଶଦୀପ ସିଂହ ପୁଣି ଥରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଶନିବାର ପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ପୂର୍ବ ବିଜେତା ପାକିସ୍ତାନ ପେନାଲ୍ଟି ସୁଟ୍ଆଉଟରେ ମାଲେସିଆକୁ ୩-୧ (୪-୪) ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ନିର୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଚାରିଟି ଲେଖାଏଁ ଗୋଲ୍ ଦେବା ପରେ ପେନାଲ୍ଟି ସୁଟଆଉଟ୍ରେ ପାକିସ୍ତାନ ବାଜି ମାରି ନେଇଥିଲା। ପାକିସ୍ତାନ ଖେଳାଳିମାନେ ତିନିଟି ପ୍ରୟାସରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ମାଲେସିଆ ଖେଳାଳିମାନେ ମାତ୍ର ଗୋଟିଏ ଗୋଲ୍ କରି ବିଦାୟ ନେଇଥିଲେ।