ୱେଲିଂଟନ ଦିନିକିଆରେ ଟସ୍ ଜିତି ଭାରତର ଧିମା ବ୍ୟାଟିଂ । ନ୍ୟୁଜିଲାଣ୍ଡ ମାଟିରେ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

80

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡର ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ପଂଚମ ତଥା ଶେଷ ଦିନିକିଆ ବର୍ତ୍ତମାନ ଚାଲିଛି । ପ୍ରଥମେ ଟସ ଜିଣି ବ୍ୟାଟିଂ କରୁଥିବା ଭାରତ ଧିମା ଆରମ୍ଭ କରିଛି । ଭାରତ ବର୍ତମାନ ସୁଦ୍ଧା ୪ ଓି୍ୱକେଟ ହରାଇ ବ୍ୟାଟିଂ ଜାରି ରଖିଛି । ଭାରତୀୟ ଦଳରେ ୩ଟି ପରିବର୍ତନ ହୋଇଛି । ଟିମରେ ବିଜୟଶଙ୍କର, ଧୋନି ଓ ସାମି ସାମିଲ ହୋଇଛନ୍ତି । ତେବେ ଲଗାତାର ତିନିଟି ଦିନିକିଆରେ ଏକତରଫା ବିଜୟ ହାସଲ କରିବା ପରେ ଭାରତର ବିଜୟ ରଥକୁ ଘରୋଇ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନିକିଆରେ ଅଟକାଇ ଦେଇଥିଲା। ଏପରିକି ଭାରତକୁ ୧୦୦ ରନ୍ ତଳେ ରୋକି ୮ ୱିକେଟର ଧମାକାଦାର ବିଜୟ ହାସଲ କରିଥିଲା।

ଆଜି ୱେଲିଂଟନରେ ଭାରତ କିନ୍ତୁ ହାମିଲଟନରେ କରିଥିବା ଭୁଲ ସୁଧାରିବା ଲକ୍ଷ୍ୟରେ ରହିଛି । ଚତୁର୍ଥ ଦିନିକିଆରେ ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଅଭିଜ୍ଞ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଭାରତୀୟ ବ୍ୟାଟିଂ କିୱି ବୋଲରଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ବିଶେଷ କରି ଟ୍ରେଣ୍ଟ ବୋଲଟଙ୍କ ସୁଇଂ ବୋଲିଂର ମୁକାବିଲା କରିବାରେ ଭାରତୀୟ ବ୍ୟାଟିଂ ବାହିନୀ ପୂରା ଅସମର୍ଥ ହୋଇଥିଲା। ୱେଲିଂଟନରେ ଧୋନି ଫେରୁଥିବାରୁ ଟିମ୍ ଇଣ୍ଡିଆର ବ୍ୟାଟିଂକ୍ରମ ଅବଶ୍ୟ ତୁଳନାତ୍ମକ ଭାବେ ସୁଦୃଢ଼ ହୋଇଛି। ସେପଟେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ ଆହତ ହେବା ନ୍ୟୁଜିଲାଣ୍ଡ ପାଇଁ ଏକ ଶକ୍ତ ଧକ୍କା ହୋଇଛି। ଗପ୍ଟିଲ ଅଭ୍ୟାସ ବେଳେ ଆଘାତ ପ୍ରାପ୍ତ ହୋଇଥିବାରୁ କଲିନ୍ ମୁନରୋ ତାଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ୱେଷ୍ଟପାକ୍ ଷ୍ଟାଡିୟମ୍ କିନ୍ତୁ ନିକଟ ଅତୀତରେ ନ୍ୟୁଜିଲାଣ୍ଡ ପାଇଁ ଆଦୌ ଶୁଭଙ୍କର ସାବ୍ୟସ୍ତ ହୋଇନି। ଏଠାରେ ଖେଳିଥିବା ଗତ ତିନି ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶୁବମନ ଗିଲ୍, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଖଲିଲ ଅହମ୍ମଦ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ହେନରି ନିକୋଲ୍ସ, କଲିନ୍ ମୁନ୍‌ରୋ, ରସ୍ ଟେଲର, ଟମ୍ ଲାଥାମ, କଲିନ୍ ଡି ଗ୍ରାଣ୍ଢୋମେ, ଜେମ୍ସ ନିସାମ, ଡଗ୍ ବ୍ରାସୱେଲ/ ମିଚେଲ ସାଣ୍ଟନର, ଟଡ୍ ଆସଲେ, ମ୍ୟାଟ୍ ହେନରି/ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ।