ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ତିଷ୍ଠିପାରିଲେନି ଭାରତୀୟ ବ୍ୟାଟ୍ସମ୍ୟାନ ! ଶହେ ବି ଛୁଇଁ ପାରିଲାନି ଟିମ ଇଣ୍ଡିଆ, ୯୨ ରନରେ ଅଲଆଉଟ 

104

କନକ ବ୍ୟୁରୋ : ହାମିଲଟନରେ ବ୍ୟାଟିଂ ଭୁଲିଗଲା ଭାରତ ।  ସମଗ୍ର ଦଳ ମାତ୍ର ୩୦ ଓଭର ୫ଟି ବଲରେ ୯୨ ରନ କରି ଅଲଆଉଟ ହୋଇଯାଇଛି ।  ଟସ ଜିଣି ନ୍ୟୁଜିଲାଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଖେଳ ଆରମ୍ଭରୁ ହିଁ ୱିକେଟ ପତନର ଧାରା ଜାରି ରହିଥିଲା । ଆଜି କୌଣସି ଭାରତୀୟ ବ୍ୟାଟସମ୍ୟାନ ୨୦ ରନ ବି ଛୁଇଁପାରିନଥିଲେ । ୧୮ ରନ ସହ ଚହଲ ଭାରତର ଟପ ସ୍କୋରର ହୋଇଛନ୍ତି । ନ୍ୟୁଜିଲାଣ୍ଡର ଟ୍ରେଂଟ ବୋଲ୍ଟ ମାତ୍ର ୧୦ ଓଭରେ ୨୧ ରନ୍ ଦେଇ ୫ ୱିକେଟ୍ ହାସଲ କରିଥିଲେ । ଏହାବ୍ୟତୀତ କୋଲିନ୍ ଗ୍ରାଣ୍ଡହୋମ ୩ ୱିକେଟ ହାସଲ କରିଛନ୍ତି । ପ୍ରଥମ ୩ଟି ମ୍ୟାଚ ଜିତି ଭାରତ ୩-୦ରେ ଆଗୁଆ ସିରିଜ ଜିତିଥିବାବେଳେ ଚତୁର୍ଥ ମ୍ୟାଚରେ ଜବରଦସ୍ତ କମବ୍ୟାଗ କରିଛି ନ୍ୟୁଜିଲାଣ୍ଡ ।

ନିୟମିତ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଖେଳୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ୍ ଅପ୍ ତାସ ଘର ପରି ଭୁଶୁଡ଼ି ପଡ଼ିଛି । ଭାରତର ନିୟମିତ ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲାଣ୍ଡର ବୋଲ୍ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂ ସାମନା କରି ନ ପାରି ଜଣକ ପରେ ଜଣେ ପାଭିଲିୟନକୁ ଧାଡ଼ି ଲଗାଇଥିଲେ । ତେବେ ଆଜି ଭାରତୀୟ ଦଳର ବ୍ୟାଟିଂରେ ସବୁଠାରୁ ବଡ଼ ପାର୍ଟନରସିପ୍ କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ହୋଇଛି । ଏହି ଯୋଡ଼ି ୯ମ ଓ୍ଵିକେଟ ଯୋଡ଼ିରେ ୨୫ରନ୍ର ପାର୍ଟନରସିପ୍ କରିବାରେ ସମର୍ଥ ହୋଇଛନ୍ତି।ବ୍ୟକ୍ତିଗତ ଭାବେ ୧୮ ରନ୍ କରିଥିବା ଚହଲ ଭାରତର ଟପ୍ ରନ୍ ସ୍କୋରର ହୋଇଛନ୍ତି। ଭାରତ ୩୧ତମ ଓଭରରେ ମାତ୍ର ୯୨ରନ୍ରେ ସମସ୍ତ ଓ୍ଵିକେଟ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୯୩ରନ୍ର ବିଜୟ ଳକ୍ଷ୍ୟ ଧାର‌୍ୟ୍ୟ କରିଛି।

ନ୍ୟୁଜିଲାଣ୍ଡ ବୋଲିଂରେ ବୋଲ୍ଟଙ୍କୁ ଭରପୁର ସହାୟତା ଦେଇଛନ୍ତି ଗ୍ରାଣ୍ଡସହୋମ। ବୋଲ୍ଟ ଭାରତର ୫ଓ୍ଵିକେଟ ନେଇଥିବା ବେଳେ ଗ୍ରାଣ୍ଡହୋମ ୩ ଓ୍ଵିକେଟ ଅକ୍ତିଆର କରିଛନ୍ତି । ଗ୍ରାଣ୍ଡସହୋମ ପୂର୍ବରୁ ଅମ୍ବାତି ରାଇଡୁ, ଦୀନେଶ କାର୍ତ୍ତିଙ୍କ ଓ୍ଵିକେଟ ନେଇଥିବା ବେଳେ ତାଙ୍କର ଶେଷ ଶିକାର ହୋଇଥିଲେ ଭୁବନେଶ୍ୱର କୁମାର ।

ସୂଚନାଯୋଗ୍ୟ ଯେ ଭାରତ ଏହି ମ୍ୟାଚରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇଛି । ଆଜି ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା । ବିଶ୍ୱକପ୍ ପୂର୍ବରୁ ଆବଶ୍ୟକ ବିଶ୍ରାମ ପାଇଁ କୋହଲି ଆଜି ଓ ୱେଲିଂଟନରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ମ୍ୟାଚ୍ ଏବଂ ତିନି ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଖେଳିବେ ନାହିଁ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବାତି ରାୟୁଡୁ, ଶୁବମନ ଗିଲ୍, କେଦାର ଯାଦବ, ଦିନେଶ କାର୍ତ୍ତିକ, , ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, କେ ଖଲିଲ ଅହମ୍ମଦଓ ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ ଦଳ: କେନ୍ ଓ୍ଵିଲିୟମସନ୍ (ଅଧିନାୟକ), ମାର୍ଟିନ ଗପ୍ଟଟଲ, କଲିନ ଡି ଗ୍ରାଣ୍ଡହୋମ, ରସ୍ ଟେଲର, ଟମ୍ ଲାଥମ, ଜେମ୍ସ ନିସାମ, ମିଚେଲ ସାଣ୍ଟନର, ଟଡ୍ ଆସଲେ, ଲୋକି ଫର୍ଗୁସନ୍, ମାଟ୍ ହେନରୀ, ଟ୍ରେଣ୍ଟ ବୋଲ୍ଟ।