ସିିରିଜ୍ ଜିିତିଲା ଟିମ୍ ଇଣ୍ଡିଆ : ଶେଷ ଟି-୨୦ରେ କ୍ୱିୱି ଦଳକୁ ୬ରନରେ ହରାଇ ବିଜୟୀ ହାସଲ କଲା ବିରାଟ ବାହିନୀ
କନକ ବ୍ୟୁରୋ : ବର୍ଷା ବାଧାପ୍ରାପ୍ତ ଶେଷ ଟି-୨୦ ମ୍ୟାଚ୍ ୮ ଓଭର ବିଶିଷ୍ଟ ହେଲା। ଭାରତ କିନ୍ତୁ ୬ ରନ୍ରେ ରୋମାଞ୍ଚକର ବିଜୟ ସହିତ ଦିନିକିଆ ଶୃଙ୍ଖଳା ଭଳି ଏହାକୁ ବି ୨-୧ରେ ଜିତି ନେଲା। ଭାରତର ୬୭ ରନ୍ ଜବାବରେ ନ୍ୟୁଜିଲାଣ୍ଡ ୬୧ ରନ୍ରେ ଅଟକିଯାଇଥିଲା। ଏଥି ସହ ନ୍ୟୁଜିଲାଣ୍ଡ ବିପକ୍ଷରେ କେବେ ବି ଟି-୨୦ ମ୍ୟାଚ୍ ଜିତି ନ ଥିବା ଭାରତ ଏକାଥରକେ ଶୃଙ୍ଖଳା ବିଜୟ ସଫଳତା ସହ ସବୁ ନିରାଶାକୁ ପଛରେ ପକାଇ ଦେଲା। ଏଥି ସହିତ ଭାରତ ମଧ୍ୟ କ୍ରମାଗତ ଅଷ୍ଟମ ଶୃଙ୍ଖଳା ବିଜୟ ପାଇଲା।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଟସ୍ ଜିତିବା ପରେ ନ୍ୟୁଜିଲାଣ୍ଡ୍ କ୍ଷେତ୍ରରକ୍ଷଣ କରିଥିଲା। ଭାରତ ପୁନଃନିର୍ଧାରିତ ୮ ଓଭରରେ କିନ୍ତୁ ଆଶାଜନକ ବ୍ୟାଟିଂ କରି ନପାରି ୬୭/୫ରେ ସୀମି ରହିଥିଲା। ତୃତୀୟ ଓଭରରେ ଟିମ୍ ସାଉଦି ଲଗାତାର ବଲ୍ରେ ପ୍ରାରମ୍ଭିକ ଯୋଡ଼ି ଶିଖର ଧାଓ୍ଵନ (୬, ୬ ବଲ୍) ଏବଂ ରୋହିତ ଶର୍ମା (୮, ୯ ବଲ୍)ଙ୍କୁ ସୀମାରେଖା ନିକଟରେ କ୍ୟାଚ୍ କରାଇ ନେଇଥିଲେ। ଅଧିନାୟକ ବିରାଟ କୋହଲି (୧୩, ୬ ବଲ୍, ୧ ଚୌକା, ୧ ଛକା) ଭଲ ଆରମ୍ଭ କରିଥିଲେ ମଧ୍ୟ ଆଗକୁ ବଢ଼ିପାରିନଥିଲେ। ଲେଗ୍ସ୍ପିନର୍ ଇଶ ସୋଢ଼ୀଙ୍କ୍ ଚୌକା ଓ ଛକାରୁ ଅଭିଯାନ ଆରମ୍ଭ କରିଥିବା କୋହଲି କିନ୍ତୁ ତାଙ୍କରି ବଲ୍ରେ ଆଉଟ୍ ହୋଇ ଫେରିଥିଲେ। ଯୁବ ତାରକା ଶ୍ରେୟସ ଆୟର୍ (୬, ୬ ବଲ୍) ସବୁଠୁ ଅଧିକ ନିରାଶ କରିଥିଲେ। ମନୀଷ ପାଣ୍ଡେ (୧୭, ୧୧ ବଲ୍, ୧ ଚୌକା, ୧ ଛକା) ଏବଂ ହାର୍ଦିକ ପାଣ୍ଡ୍ୟା (୧୪, ୧୦ ବଲ୍, ୧ ଛକା) ଭାରତକୁ ସମ୍ମାନଜନକ ସ୍କୋର୍ ଦେଇଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଇଶ ସୋଢ଼ୀ ଏବଂ ଟିମ୍ ସାଉଦି ଯଥାକ୍ରମେ ୨୩ ଓ ୧୩ ରନ୍ ଦେଇ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଜବାବରେ ଭୁବନେଶ୍ୱର କୁମାର ପ୍ରଥମ ଓଭରରେ ମାର୍ଟିନ୍ ଗପ୍ଟିଲ୍ (୧)ଙ୍କୁ ବୋଲ୍ଡ କରିଦେବା ଏବଂ ଦ୍ୱିତୀୟ ଓଭରରେ ବୁମରା ବିପଜ୍ଜନକ କଲିନ୍ ମୁନ୍ରୋ (୭)ଙ୍କୁ ରୋହିତଙ୍କ ହାତରେ କ୍ୟାଚ୍ କରାଇନେବା ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲା। କେନ୍ ଓ୍ଵିଲିୟମ୍ସନ୍ (୮)ଙ୍କ ରନ୍ ଆଉଟ୍ ଏବଂ ଗ୍ଲେନ୍ ଫିଲିପ୍ସ (୧୧)ଙ୍କୁ କୁଲଦୀପ ଯାଦବ ଆଉଟ୍ କରିବା ମଧ୍ୟ ଭାରତକୁ ଠିକଣା ପଥରେ ରଖିଥିଲା। ବୁମ୍ରାଙ୍କ ଦ୍ୱିତୀୟ ସ୍ପେଲ୍ରେ ହେନରି ନିକୋଲ୍ସ ତାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଟମ୍ ବ୍ରୁସ୍ ମଧ୍ୟ ଦ୍ୱିତୀୟ ରନ୍ ନେବା ଚକ୍କରରେ ରନ୍ ଆଉଟ୍ ହୋଇଥିଲେ। ଶେଷ ଓଭରରେ ନ୍ୟୁଜିଲାଣ୍ଡ୍କୁ ୧୯ ରନ୍ ଆବଶ୍ୟକ ଥିଲା। ଆହତ ହେବା ସତ୍ତ୍ୱେ ହାର୍ଦିକ ପାଣ୍ଡ୍ୟା ୧, ୦, ୬, ୧(ଓ୍ଵାଇଡ୍), ୧, ୨, ୧ ରନ୍ ଦେଇ ବିଜୟୀ କରାଇଥିଲେ। ବୁମରା (୨-୦-୯-୨) କିନ୍ତୁ ଚମତ୍କାର ବୋଲିଂ ପାଇଁ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ସାଙ୍ଗକୁ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ୮ ଓଭରରେ ୬୭/୫ (ମନୀଷ ପାଣ୍ଡେ-୧୭, ହାର୍ଦିକ ପାଣ୍ଡ୍ୟା-୧୪, ବିରାଟ କୋହଲି-୧୩, ଟିମ୍ ସାଉଦି-୨/୧୩, ଈଶ ସୋଢ଼ୀ-୨/୨୩, ଟ୍ରେଣ୍ଟ୍ ବୋଲ୍ଟ-୧/୧୩)। ନ୍ୟୁଜିଲାଣ୍ଡ୍ ୮ ଓଭରରେ ୬୧/୬ (କଲିନ୍ ଗ୍ରାଣ୍ଡ୍ହୋମ୍-୧୭ଞ୍ଚ, ଗ୍ଲେନ୍ ଫିଲିପ୍ସ-୧୧, ଯଶପ୍ରୀତ୍ ବୁମରା-୨/୯, କୁଲଦୀପ ଯାଦବ-୧/୧୦, ଭୁବନେଶ୍ୱର କୁମାର-୧/୧୮, ୟୁଜବେନ୍ଦ୍ର ଚହଲ୍-୦/୮)।