ରାଜକୋଟରେ କିୱି କମାଲ ! ମୁନରୋଙ୍କ ମାଡରେ ଭାରତ ଘାଇଲା, ୪୦ ରନରେ ଜିତିଲା ନ୍ୟୁଜିଲାଣ୍ଡ

84

କନକ ବ୍ୟୁରୋ: ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି କ୍ୱିୱି ଦଳ । ଟିମ୍ ଇଣ୍ଡିଆକୁ ୪୦ରନରେ ହରାଇ ଦେଇଛି ନ୍ୟୁଜଲାଣ୍ଡ ଦଳ । ଟସ୍ ଜିତି ବ୍ୟାଟିଂ କରିଥିବା ନ୍ୟୁଜଲାଣ୍ଡ ଦଳ ମାତ୍ର ଦୁଇ ଓ୍ଵିକେଟ ହରାଇ ୧୯୬ରନ୍ କରିଥିଲା । ଭାରତ ଆଗରେ ୧୯୭ରନ ବିଜୟ ଲକ୍ଷ୍ୟ ରଖିଥିଲା । ଏବଂ ଭାରତ ଦ୍ୱିତୀୟ ପାଳିରେ ଖେଳିବାକୁ ଆସି ୭ଉଇକେଟ୍ ହରାଇ ମାତ୍ର ୧୫୬ ରନ୍ କରିବାକୁ ସକ୍ଷମ ହୋଇଛି । ଯାହାଫଳରେ ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୧, ବା ସମାନ ସ୍ଥିତିରେ ପହଁଚିଛନ୍ତି ଉଭୟ ଦଳ । ତେଣୁ ଶେଷ ତଥା ତୃତୀୟ ମ୍ୟାଚ ଉଭୟଙ୍କ ପାଇଁ କର ବା ମର ହେବ । ତାହା ଉପରେ ସମସ୍ତଙ୍କ ନଜର ରହିବ ।

ସୂଚନା ମୁତାବକ, କଲିନ୍ ମୁନରୋଙ୍କ ୫୪ ବଲ୍ ଶତକ ବଳରେ ନ୍ୟୁଜଲାଣ୍ଡ ଦଳ ଭାରତ ବିପକ୍ଷ ଦ୍ୱିତୀୟ ୨୦-୨୦କୁ ୪୦ ରନରେ ଜିତିନେଇଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ଦିନିକିଆ ଭଳି ୧-୧ ସ୍ଥରକୁ ଚାଲି ଆସିଛି । ନ୍ୟୁଜିଲାଣ୍ଡର ୧୯୬ ରନ୍ ଜବାବରେ ଭାରତ ୭ ଓ୍ଵିକେଟ୍ ବିନିମୟରେ ୧୫୬ ରନ୍ କରି ପାରିଥିଲା । ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ତଥା ଶେଷ ମ୍ୟାଚ୍ ମଙ୍ଗଳବାର ତ୍ରିଭେନ୍ଦ୍ରମରେ ଖେଳାଯିବ । ୧୯୭ ରନକୁ ପିଛା କରିଥିବା ଭାରତ ପାଇଁ ପ୍ରଥମ ମ୍ୟାଚରେ ବିସ୍ଫୋରକ ରୂପ ଦେଖାଇଥିବା ରୋହିତ ଶର୍ମା-ଶିଖର ଧାଓ୍ଵନ୍ ଯୋଡ଼ି ଦ୍ୱିତୀୟ ଓଭରରେ ହିଁ ପ୍ୟାଭିଲିଅନ୍ ଫେରିଯାଇଥିଲେ । ନିଜ ପ୍ରଥମ ପାଳିରେ ବିସ୍ଫୋରକ ଆରମ୍ଭ କରିଥିବା ମୁମ୍ବାଇ ତାରକା ଶ୍ରେୟସ ଆୟର (୨୩, ୨୧ ବଲ୍, ଚୌକା) କିନ୍ତୁ ଆଗକୁ ବଢ଼ି ପାରିନଥିଲେ। ଅଧିନାୟକ ବିରାଟ କୋହଲି (୬୫, ୪୨ ବଲ୍, ୮ ଚୌକା, ୧ ଛକା) ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୪୯, ୩୭ ବଲ୍, ୨ ଚୌକା, ୩ ଛକା)ଙ୍କ ଛଡ଼ା ଅନ୍ୟ କେହି ନରହିବା ଭାରତକୁ ପରାଜୟ ବରଣ ପାଇଁ ବାଧ୍ୟ କରିଥିଲା । ମୁନରୋ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।

ନ୍ୟୁଜଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଅତିଥି ଦଳ ପାଇଁ ପାଳି ଆରମ୍ଭ କରିଥିବା ମାର୍ଟିନ୍ ଗପ୍ଟିଲ୍ ଏବଂ କଲିନ୍ ମୁନରୋ ପାଓ୍ଵାର ପ୍ଲେ ୬ ଓଭରରେ ବିନା କ୍ଷତିରେ ୪୮ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ । ବଲ୍ ପିଛା ରନ୍ ସଂଗ୍ରହ କରୁଥିବା ଗପ୍ଟିଲ୍ (୪୫, ୪୧ ବଲ୍, ୩ ଚୌକା, ୩ ଛକା)ଙ୍କୁ ଚହଲ୍ ଆଉଟ୍ କରିବା ବେଳକୁ ପ୍ରଥମ ଓ୍ଵିକେଟ୍ ପାଇଁ ୧୧ ଓଭରରେ ୧୦୫ ରନ୍ ସଂଗୃହିତ ହୋଇସାରିଥିଲା । ବାମହାତୀ କଲିନ୍ ମୁନରୋ କିନ୍ତୁ ସବୁଠୁ ବିଧ୍ୱଂସୀ ସାବ୍ୟସ୍ତ ହୋଇଥିଲେ । ୨୬ ବଲ ଅର୍ଧଶତକ ଏବଂ ୫୪ ବଲରୁ ଶତକ ପୂରଣ କରିଥିଲେ । ଜାନୁଆରିରେ ବାଂଲାଦେଶ ବିପକ୍ଷରେ ମଧ୍ୟ ୫୨ ବଲରୁ ଶତକ ପୂରଣ କରି କୀର୍ତିମାନ କରିଥିବା ମୁନରୋଙ୍କ ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ୨୦-୨୦ ଶତକ ।

ଉଭୟ ଶତକୀୟ ପାଳିରେ ୭ ଲେଖାଏଁ ଚୌକା ଓ ଛକା ସାମିଲ୍ ଥିଲା। ପାଳି ସାରା ଖେଳିଥିବା ମୁନରୋ (୧୦୯, ୫୮ ବଲ୍)ଙ୍କ ପାଇଁ ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୨ ଓ୍ଵିକେଟରେ ୧୯୬ ରନ୍ କରି ନେଇଥିଲା । ଓଭର ପିଛା ରନ୍ ଦେଖିଲେ ଭୁବନେଶ୍ୱର କୁମାର (୭.୧୫) ଏବଂ ଯଶପ୍ରୀତ ବୁମରା (୫.୭୫) ପ୍ରଭାବୀ ଥିଲେ । କିନ୍ତୁ ପ୍ରଥମ ପଦାର୍ପଣ କରିଥିବା ମହମ୍ମଦ ସିରାଜ (୧୩.୨୫) ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦିଶାହୀନ ବୋଲିଂ କରିଥିବା ସିରାଜ ନ୍ୟୁଜଲାଣ୍ଡ ଅଧିନାୟକ କେନ୍ ଓ୍ଵିଲିୟମ୍ସନଙ୍କ ଓ୍ଵିକେଟ୍ ନେଇ ଏକମାତ୍ର ସାନ୍ତ୍ୱନା ପାଇଥିଲେ। ସ୍ପିନର ଅକ୍ଷର ପଟେଲ୍ ତାଙ୍କ ୩ ଓଭରରେ ୫ ନୋ ବଲ୍ ପକାଇବା ମଧ୍ୟ ଭାରତ ପାଇଁ ଖରାପ ଦିନର ଆଭାସ ଦେଇଥିଲା। ମୋଟ ୧୦ ଓ୍ଵାଇଡ୍ ପକାଇ ଭାରତୀୟ ବୋଲର ପରିଣାମ ଭୋଗିଥିଲେ ।