ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମଇଣ୍ଡିଆର ଦୟନୀୟ ବ୍ୟାଟିଂ । ପ୍ରଥମ ଇନିଂସରେ ୧୬୫ ରନରେ ଦଳ ଅଲଆଉଟ୍ । କେହି ବି ଟପି ପାରିଲେନି ୫୦ ରନ୍

୫ ଖେଳାଳି ଏକ ଅଙ୍କରେ ଆଉଟ୍

177

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ପରେ ଟେଷ୍ଟ କ୍ରିକେଟରେ ବି ଜାରି ରହିଛି ଭାରତୀୟ କ୍ରିକେଟ୍ ଦଳର ଖରାପ ପ୍ରଦର୍ଶନ । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମାଟି କାମୁଡିଛି କୋହଲି ବାହିନୀ । ପୁରା ଦୟନୀୟ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଛି ପ୍ରଥମ ଇନିଂସରେ । ପୁରା ଭାରତୀୟ ଟିମ୍ ମାତ୍ର ୧୬୫ ରନରେ ଅଲଆଉଟ୍ ହୋଇଯାଇଛି । ସବୁଠାରୁ ଚିନ୍ତାଜନକ କଥା ପ୍ରଥମ ଇନିଂସରେ କୌଣସି ବ୍ୟାଟସ୍ ମ୍ୟାନ ଟପି ପାରିନାହାନ୍ତି ୫୦ ରନ୍ ।

ରାହାଣେ ସର୍ବାଧିକ ୪୬ ରନ୍ କରିଛନ୍ତି । ପୃଥ୍ୱୀ ଓ ୧୬, ମୟଙ୍କ ଅଗ୍ରୱାଲ ୩୪, କୋହଲି ୨, ପୂଜାରା ୧୧ , ରିସଭ ପନ୍ତ ୧୯ ଓ ମହମ୍ମଦ ସାମି ୨୧ ରନ୍ କରିଛନ୍ତି । ଦଳର ୫ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଓ କାଏଲ ଜାମିସନ୍ ୪ ଲେଖାଏଁ ୱିକେଟ୍ ବାଂଟି ନେଇଥିଲେ । ଭାରତ ତାର ଶେଷ ୫ଟି ୱିକେଟ୍ କେବଳ ୬୪ ରନ୍ ମଧ୍ୟରେ ହରାଇଛି ।

ଅନ୍ୟପଟେ, ଭାରତୀୟ ପୁରୁଷ ଟିମ୍ କ୍ରିକେଟରେ ନିରାଶ କରିଥିବା ବେଳେ ମହିଳା ଟିମ୍ ଆଣିଦେଇଛି ଖୁସି ଖବର । ଅଷ୍ଟ୍ରେଲିଆ ମାଟିରେ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ମାତ୍ ଦେଲା ଭାରତ । ବିଜୟରୁ ଆରମ୍ଭ ହୋଇଛି ବିଶ୍ୱକପ୍ ଅଭିଯାନ । ଅଷ୍ଟ୍ରେଲିଆର ସିଡ୍ନୀଠାରେ ଆରମ୍ଭ ହୋଇଥିବା ଟି-୨୦ ମହିଳା ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚରେ ଆୟୋଜକ ଦଳକୁ ୧୭ ରନ୍ରେ ହରାଇଛି ଭାରତ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ନିର୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ଦଳ ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଫଳରେ ଅଷ୍ଟ୍ରେଲିଆ ଆଗରେ ୧୩୩ ରନ୍ ବିଜୟ ଲକ୍ଷ୍ୟ ରହିଥିଲା । କିନ୍ତୁ ଦଳ ୧୯ ଓଭର ୫ ବଲରେ ମାତ୍ର ୧୧୫ ରନ୍କରିବାକୁ ସକ୍ଷମ ହୋଇଥିଲା । ବାସ୍ତବରେ ଭାରତର ଲେଗ୍ ସ୍ପିନର ପୁନମ ଯାଦବଙ୍କ ଚମକ୍ରାର ବୋଲିଂ ଆଗରେ ହାର ମାନିଲା ଘରୋଇ ଦଳ । ୪ ଓଭରରେ ମାତ୍ର ୧୯ ରନ୍ ଦେଇ ୪ ଗୁରୁତ୍ୱପୂର୍ଣ୍ଣ ଉଇକେଟ ହାତେଇଥିଲେ ପୁନମ । ଫଳରେ ଅଷ୍ଟ୍ରେଲିଆର ବିଜୟ ଆଶା ଚୁରମାର ହୋଇଯାଇଥିଲା । ପୁନମଙ୍କ ସଫଳ ପ୍ରଦର୍ଶନ ପାଇଁ ପ୍ଲେୟର ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଛି ।