ଟିମ୍ ଇଣ୍ଡିଆର ଐତିହାସିକ ବିଜୟ : ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେଲା ଭାରତ

47

କନକ ବ୍ୟୁରୋ : ବିଷ୍ଟ୍ରଲରେ ଟିମ୍ ଇଣ୍ଡିଆର ବଡ ବିଜୟ । ରୋହିତ ଏବଂ ବିରାଟ୍ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଅନ୍ତିମ ମ୍ୟାଚ୍ ଜିତିବା ସହ ସିରିଜ୍ କବ୍ଜା କରିଛି । ୧୯୯ ରନର ବଡ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ମାତ୍ର ୩ଟି ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି । ରୋହିତ ଶର୍ମା ଧୁଆଁଧାର ଶତକ କରିଥିବା ବେଳେ ତାଙ୍କ ଇନିଂସରେ ରହିଛି ୫ଟି ଛକ୍କା ଏବଂ ୧୧ଟି ଚୌକା । ୫୬ଟି ବଲରୁ ବିସ୍ଫୋରକ ଶତକ ହାସଲ କରିଥିବା ରୋହିତ ବିଜୟକୁ ସୁନିଶ୍ଚିତ କରିଥିବା ବେଳେ ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ଚିତାକର୍ଷକ ସଟ୍ ଖେଳି ଭାରତର ବିଜୟକୁ ଆହୁରି ସହଜ କରି ଦେଇଥିଲେ । ୭ ୱିକେଟରେ ଭାରତ ଏହି ମ୍ୟାଚକୁ ଇଂଲଣ୍ଡ ହାତରୁ ଛଡାଇ ଆଣିଥିଲା । ପ୍ରଥମେ ଘରୋଇ ଦଳ ଇଂଲଣ୍ଡ ବ୍ୟାଟିଂ କରିି ୯ ଟ୍ୱିକେଟ୍ ହରାଇ କରିଥିଲା ୧୯୮ ରନ୍ ।

ଇଂଲଣ୍ଡ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି । ରବିବାର ନିର୍ଣ୍ଣାୟକ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟା (୪-୦-୩୮-୪) ଏବଂ ରୋହିତ ଶର୍ମା (୧୦୦*, ୫୬ ବଲ୍‌, ୧୧ ଚୌକା, ୫ ଛକା)ଙ୍କ ପ୍ରଦର୍ଶନ ବଳରେ ଭାରତ ୭ ଓ୍ଵିକେଟ୍‌ରେ ଘରୋଇ ଇଂଲଣ୍ଡକୁ ହରାଇ ଦେଇଥିଲା । ଭାରତର ଏହା ଲଗାତାର ଷଷ୍ଠ ଶୃଙ୍ଖଳା ବିଜୟ । ରବିବାର ବିରାଟ କୋହଲି ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଇଂଲଣ୍ଡ ପ୍ରାରମ୍ଭିକ ଯୋଡ଼ି ଜାସନ୍‌ ରୟ ଏବଂ ଜୋସ୍‌ ବଟଲର୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ । ବିଶେଷ କରି ଜାସନ୍‌ ରୟ ୨୩ ବଲ୍‌ରୁ ଅର୍ଧଶତକ ହାସଲ କରି ଇଂଲଣ୍ଡକୁ ଉଡ଼ନ୍ତା ଆରମ୍ଭ ଦେଇଥିଲେ । ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଦ୍ରୁତ ବୋଲର୍‌ ଦୀପକ ଚହର ପାଳିର ପ୍ରଥମ ଓଭର ବୋଲିଂ କରି ୧୩ ରନ୍‌ ଦେଇ ନିରାଶ ହୋଇଥିଲେ ।

ପାଓ୍ଵାର୍‌ ପ୍ଲେ’ର ଶେଷ ଓଭର (ଷଷ୍ଠ) ବୋଲିଂ କରିଥିବା ହାର୍ଦିକ ପାଣ୍ଡ୍ୟା (୪,୪,୬,୬,୧,୧) ୨୨ରନ୍‌ ବ୍ୟୟ କରିଥିଲେ ମଧ୍ୟ ନିଜର ଦ୍ୱିତୀୟ ଓଭରରେ ମାତ୍ର ୨ ରନ୍‌ ଦେଇ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ । ଏଥିରେ ଉତ୍ସାହିତ ହୋଇ ଶେଷକୁ ପାଳିର ସଫଳତମ ବୋଲର ହୋଇଥିଲେ ହାର୍ଦିକ (୪-୦-୩୮-୪) । ଦ୍ୱିତୀୟ ସ୍ପେଲ୍‌ର ୩ ଓଭରରେ ସେ ୧୬ ରନ୍‌ ଦେଇ ନେଇଥିଲେ ଇଂଲଣ୍ଡର ୪ ପ୍ରମୁଖ ବ୍ୟାଟସମ୍ୟାନ୍‌ ଇଅନ୍‌ ମୋର୍ଗାନ୍‌ (୬), ଆଲେକ୍ସ ହେଲ୍‌ସ (୩୦, ୨୪ ବଲ୍‌, ୩ ଚୌକା, ୨ ଛକା), ବେନ୍‌ ଷ୍ଟୋକ୍‌ସ (୧୪, ୧୦ ବଲ୍‌, ୨ ଚୌକା) ଏବଂ ଜନି ବେୟାରଷ୍ଟୋ (୨୫, ୧୪ ବଲ୍‌, ୨ ଚୌକା, ୨ ଛକା)ଙ୍କ ଓ୍ଵିକେଟ୍‌ ।

ଏହା ପୂର୍ବରୁ ସିଦ୍ଧାର୍ଥ କଉଲ୍‌ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଜୋସ୍‌ ବଟଲର୍‌ (୩୪, ୨୧ ବଲ୍‌, ୭ଚୌକା)ଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜାସନ୍‌ ରୟ (୬୭, ୩୧ ବଲ୍‌, ୪ ଚୌକା, ୭ ଛକା)ଙ୍କୁ ନିଜ ପ୍ରଥମ ଅର୍ନ୍ତଜାତୀୟ ଓ୍ଵିକେଟ୍‌ ବନାଇ ପ୍ରାରମ୍ଭିକ ଧୂଲେଇର ମଧୁର ପ୍ରତିଶୋଧ ନେଇଥିଲେ । ପ୍ରଥମରୁ ୧୦ ରନ୍‌ ହାରରେ ରନ୍‌ ସଂଗ୍ରହ କରୁଥିବା ଇଂଲଣ୍ଡ କିନ୍ତୁ ହାର୍ଦିକ ପାଣ୍ଡ୍ୟାଙ୍କ ଓ୍ଵିକେଟ୍‌ ଦଖଲ କ୍ଷମତା ଆଗରେ ଆତ୍ମସମର୍ପଣ କରିବାରୁ ଶେଷ ୭ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୮/୯ରେ ସୀମିତ ରହିଥିଲା ।