ଇତିହାସ ଅପେକ୍ଷାରେ ଟିମ୍ ଇଣ୍ଡିଆ ! ମହିଳା ବିଶ୍ୱକପ୍ କ୍ରିକେଟ୍ ଫାଇନାଲ ଲଢେଇ ଜାରି

42

କନକ ବ୍ୟୁରୋ : ସମସ୍ତଙ୍କ ଆଶା ମହିଳା କ୍ରିକେଟରେ ଆଜି ଇତିହାସ ରଚିବ ଭାରତ । ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚରେ ଭାରତର ଆଗରେ ୨୨୯ର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ଐତିହାସିକ ମଇଦାନ ଲର୍ଡସରେ ଚାଲିଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଇଂଲଣ୍ଡ । ଧୈର୍ଯ୍ୟ ପୂର୍ଣ୍ଣ ବ୍ୟାଟିଂ କରି ୧୧ ଓଭରରେ ଦଳ ୪୭ ରନ୍ କରିନେଇଥିବା ବେଳେ ରାଜେଶ୍ୱରୀ ଗାଏକୱାଡ୍ ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ ।

ଇଂଲଣ୍ଡ ଦଳର ପ୍ରଥମ ବ୍ୟାଟସମ୍ୟାନଙ୍କୁ  ମାତ୍ର ୨୪ ରନରେ ଆଉଟ୍ କରିଥିଲେ । ଏହା ପରେ ସ୍ପିନର୍ ପୁନମ୍ ୨ଟି ୱିକେଟ୍ ହାତେଇଥିଲେ । ଫଳରେ ଚାପରେ ଆସିଥିଲା ଇଂଲଣ୍ଡ । ତେବେ ଇଂଲଣ୍ଡ କିପର ବ୍ୟାଟସମ୍ୟାନ ଟେଲର ୪୫ ରନ କରି ଦଳର ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ ଝୁଲଣ ଗୋସ୍ୱାମୀଙ୍କ ଶିକାର ହୋଇଥିଲେ । ତେବେ ଟିମ୍ ଇଣ୍ଡିଆ ବୋଲରଙ୍କ ମାପଚୁପ ବୋଲିଂ ଫଳରେ ଖୋଲା ସଟ୍ ଖେଳି ପାରି ନଥିଲେ ଇଂଲଣ୍ଡ ବ୍ୟାଟ୍ସ ମ୍ୟାନ ।

୧୬୪ ରନ ୬ ୱିକେଟ୍ ହରାଇ ସାରିଥିବା ବେଳେ ଶେଷ ବେଳକୁ ନିମ୍ନ କ୍ରମର ବ୍ୟାଟ୍ସମ୍ୟାନ ପାଳି ସମ୍ଭାଳି ନେଇଥିଲେ ଏବଂ ଶେଷରେ ଦଳ ନିର୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୨୮ ରନ କରିଛି ।  ଟିମ୍ ଇଣ୍ଡିଆ ପକ୍ଷରୁ ଝୁଲଣ ଗୋସ୍ୱାମୀ ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ପୁନମ୍ ଯାଦବ ୨ଟି ଏବଂ ରାଜେଶ୍ୱରୀ ଗାଏକୱାଡ ଗୋଟିଏ ୱିକେଟ୍ ହାତେଇଛନ୍ତି । ଭାରତ ଆଗରେ ୨୨୯ ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚମକ୍ରାର ଖେଳ ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ଇତିହାସ ରଚିବ ବୋଲି ଆଶା କରାଯାଉଛି ।