ପ୍ରଥମ ମ୍ୟାଚ ପରାଜୟ ପରେ ଆଜି ନିଦାହାସ ଟ୍ରଫିରେ ବାଂଲାଦେଶକୁ ଭେଟିବ ଭାରତ । ଫାଇନାଲ ପହଂଚିବାକୁ ହେଲେ ଭାରତକୁ ଆଜିର ମ୍ୟାଚ ଜିତିବା ଜରୁରୀ

38

କନକ ବ୍ୟୁରୋ: ନିଦାହାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଂଟି-୨୦ ଟୁର୍ଣ୍ଣାମେଂଟର ଦ୍ୱିତୀୟ ମ୍ୟାଚରେ ଆଜି ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ । ଉଦଘାଟନୀ ମୁକାବିଲାରେ ଆୟୋଜକ ଶ୍ରୀଲଙ୍କା ଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା ଭାରତୀୟ ଦଳ । ତେଣୁ ଫାଇନାଲ ଖେଳିବାକୁ ହେଲେ ଆଜି ଟିମ ଇଣ୍ଡିଆକୁ ବାଂଲାଦେଶ ବିପକ୍ଷ ମ୍ୟାଚ ଜିତିବାକୁ ହେବ । ଫାଇନାଲ ପୂର୍ବରୁ ପ୍ରତି ଦଳ ପରସ୍ପରକୁ ୨ ଥର ମୁହାଁମୁହିଁ ହେବେ । ଶ୍ରେଷ୍ଠ ୨ ଦଳ ଫାଇନାଲ ଖେଳିବେ ।

ତେଣୁ ଫାଇନାଲ ପହଂଚିବାକୁ ହେଲେ ଆଜିର ମ୍ୟାଚ ରୋହିତ ବାହିନୀ ଜିତିବା ଜରୁରୀ ହୋଇପଡିଛି । ଅନ୍ୟପଟେ ଟ୍ୱେଂଟି-୨୦ରେ ବାଂଲାଦେଶ ସର୍ବଦା ଭାରତ ପାଇଁ ଆହ୍ୱାନ ସୃଷ୍ଟି କରାଥାଏ । ବିଶେଷ କରି ଯୁବ ବାହିନୀ ବାଂଲାଦେଶକୁ ବହୁବାର ଆଶ୍ଚର୍ଯ୍ୟଜନକ ବିଜୟ ଭେଟି ଦେଇଥିବାରୁ ଭାରତୀୟ ଦଳକୁ ସଜାଗ ହୋଇ ଖେଳିବାକୁ ପଡିବ ।

ପ୍ରଥମେ ବ୍ୟାଟିଂ କଲେ ଭାରତକୁ ବଡ ସ୍କୋର କରି ବାଂଲାଦେଶକୁ ଚାପରେ ରଖି ସଅଳ ସଅଳ ୱିକେଟ ଖସାଇଲେ ଜିଣିବ । ଟିମ ଇଣ୍ଡିଆ ବିରୋଧରେ ତମିମ ଇକବାଲ ଭଲ ପ୍ରଦର୍ଶନ କରୁଥିବାରୁ ଆଜି ତାଙ୍କୁ ରୋକିବା ଭାରତୀୟ ଖେଳାଳିଙ୍କ ପାଇ ବଡ ଆହ୍ୱାନ । ସେହିପରି ମୁସାଫିଜୁର ରହମନଙ୍କ ବୋଲିଂର ସଫଳ ମୁକାବିଲା କରିବା ମଧ୍ୟ ରୋହିତ ବାହିନୀଙ୍କ ପାଇଁ ବଡ ଚାଲେଞ୍ଜ ।