ନୂଆ ବର୍ଷରେ ନୂଆ ଇତିହାସ ରଚିବ ଭାରତ ! ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଉଡିବ ତ୍ରିରଙ୍ଗା ?

346

ନୂଆ ବର୍ଷରେ ନୂଆ ଇତିହାସ ରଚିବ ଭାରତ ! ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ । ଅଷ୍ଟ୍ରେଲିଆର ସିଡନୀ ଗ୍ରାଉଣ୍ଡରେ ଚତୁର୍ଥ ଟେଷ୍ଟ ଖେଳାଯିବ । ତୃତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ୧୩୭ ରନର ବଡ ବ୍ୟବଧାନରେ ପରାସ୍ତ କରିବା ସହ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି, ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତ ମ୍ୟାଚକୁ ନିଜ ଅଧୀନକୁ ନେଉଛି କିମ୍ବା ଡ୍ର ହେଉଛି, ତେବେ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବ ଟିମ୍ ଇଣ୍ଡିଆ । ୭୧ ବର୍ଷରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ସିରିଜ ଜିତିବାର ରେକର୍ଡ କରିବ ଭାରତ ।

ସୂଚନା ଅନୁଯାୟୀ, ସିଡନୀ ପିଚରେ ସ୍ପିନର ଯାଦୁ ଦେଖିବାକୁ ମିଳିବ । ଅର୍ଥାତ ଏହି ପିଚ୍ ସ୍ପିନ୍ ବୋଲରମାନଙ୍କୁ ଅଧିକ ସୁହାଇବ । ଆଉ ଏହି ଦୃଷ୍ଟିରୁ ବାରତକୁ ଏହି ମ୍ୟାଚ ଜିତିବାର ଅଧିକ ଦାବେଦାର ବୋଲି କୁହାଯାଉଛି । ଅଷ୍ଟ୍ରେଲିଆ ଗସ୍ତରେ ପ୍ରତିଟି ବିଜୟ ସହ ଏକ ନୂଆ ନୂଆ ରେକର୍ଡ ସ୍ଥାପନା କରୁଛି ଭାରତ । ଆଡିଲେଡରେ ଅଷ୍ଟ୍ରେଲିଆକୁ ୩୧ ରନରେ ହରାଇ ଟିମ୍ ଇଣ୍ଡିଆ ୧୫ ବର୍ଷ ପରେ ବିଜୟ ହାସଲ କରିଥିଲା । ସିଡନୀରେ ଶେଷ ଥର ପାଇଁ ୧୯୭୮ରେ ବିଶନ ସିଂହ ବେଦୀଙ୍କ ଅଧିନାୟକତ୍ୱରେ ବିଜୟୀ ହୋଇଥିଲା ଭାରତ ।

ଯଦି ସିଡନୀରେ ଭାରତର ପ୍ରଦର୍ଶନ ଦେଖିବା, ତେବେ ଏଠାରେ ଭାରତର ପ୍ରଦର୍ଶନ ସେତେଟା ଖାସ୍ ନାହିଁ । ଏଠାରେ ଖେଳାଯାଇଥିବା ମୋଟ୍ ୧୧ଟି ଟେଷ୍ଟ ମ୍ୟାଚରୁ ଭାରତ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚରେ ହିଁ ଜିତି ପାରିଛି । ସେପଟେ ଅଷ୍ଟ୍ରେଲିଆ ଏହି ପିଚରେ ଭାରତକୁ ୫ ଥର ମାତ୍ ଦେଇଛି । ଶେଷ ଥର ପାଇଁ ଭାରତ ଏଠାରେ ୨୦୧୫ ମସିହା ଜାନୁୟାରୀ ୬ରୁ ୧୦ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟେଷ୍ଟ ମ୍ୟାଚ୍ ଡ୍ର କରାଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏବେ ୨-୧ରେ ଆଗୁଆ ରହିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ସୁଦୃଢ ରହିଛି । ଭାରତର ଏହି ମ୍ୟାଚକୁ ଡ୍ର ରଖିଲେ ମଧ୍ୟ, ୭୧ ବର୍ଷରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ତ୍ରିରଙ୍ଗା ଉଙ୍ଗାଇବ ।