କୁଇନ୍ସ ଟାଉନରେ କ୍ରାଉନ ଲଢେଇ ! ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ ଟକ୍କର

106

କନକ ବ୍ୟୁରୋ : ଫାଇନାଲ ଫାଇଟ । ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡର କୁଇନ୍ସ ଟାଉନଠାରେ ଚାଲିଛି ଏହି ହାଇଭୋଲଟେଲ ଜୁନିଅର କ୍ରିକେଟ ଟକ୍କର । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ । ଚତୁର୍ଥ ବିଶ୍ୱକପ୍ ହାତେଇବା ପାଇଁ ଉଦ୍ୟମ କରିବ ଟିମ ଇଣ୍ଡିଆ ଓ ଅଷ୍ଟ୍ରେଲିଆ । ଉଭୟ ଦଳ ତିନି ଥର ଲେଖାଏଁ ଏହି ବିଶ୍ୱ ବିଜୟୀ ମୁକୁଟ ପିନ୍ଧି ସାରିଛନ୍ତି । ପୂର୍ବରୁ ସେମିଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୨୦୩ ରନରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା । ଏହି ଟୁର୍ଣ୍ଣାମେଂଟରେ ଟିମ୍ ଇଣ୍ଡିଆ ବର୍ତମାନ ସୁଦ୍ଧା ଅପରାଜେୟ ରହିଛି । ସମସ୍ତ ଦଳକୁ ପରାସ୍ତ କରି ଆସିଛି ଏହି ଜୁନିଅର ଟିମ୍ । ଏପରି କି ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ମଧ୍ୟ ୧୦୦ ରନରେ ପରାସ୍ତ କରିଥିଲା ଭାରତ । ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ସମସ୍ୟା ଭିତରେ ପଡିଛି । ଟିମ୍ ଇଣ୍ଡିଆ ଆରମ୍ଭରୁ ଉଇକେଟ ହାତେଇବା ଆରମ୍ଭ କରିଛି ।

ଭାରତ ଶେଷ ଥର ପାଇଁ ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ବିଜେତା ହୋଇଥିଲା । ଏବେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ ପୂର୍ବରୁ ଉନ୍ମୁକ୍ତ ଚାନ୍ଦ ବର୍ତମାନର ଅଧିନାୟକ ପୃଥ୍ଵୀ ସ’ ଏବଂ ସମ୍ପୂର୍ଣ୍ଣ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ଅବସରରେ ଚାନ୍ଦ କହିଛନ୍ତି ‘ଏହି ଯୁବ ଖେଳାଳିଙ୍କ ଅସଲ ଯାତ୍ରା ଶନିବାରର ଫାଇନାଲ୍ ପରଦିନଠାରୁ ଆରମ୍ଭ ହେବ’ । ଏହି ଦଳରୁ ପୃଥ୍ଵୀ ସ’, ଶୁଭମନ୍ ଗିଲ୍, କମଲେଶ ନାଗରକୋଟି ପ୍ରମୁଖ ଠିକଣା ପଥରେ ରହିଛନ୍ତି ବୋଲି କହିଛନ୍ତି ୨୪ ବର୍ଷୀୟ ଉନ୍ମୁକ୍ତ ଚାନ୍ଦ । ଶନିବାର ପରଠାରୁ ଏହି ଖେଳାଳିଙ୍କ ସୁନ୍ଦର ସମୟ ଶେଷ ହୋଇଯିବ ଏବଂ ଆହ୍ଵାନଭରା ଜୀବନ ଆସିଯିବ । ତେବେ ଶନିବାରର ଫାଇନାଲ୍ ମ୍ୟାଚ୍ ପାଇଁ ଭାରତ ନିଶ୍ଚିତ ଦୃଢ଼ ଦାବିଦାର ବୋଲି ସେ କହିଛନ୍ତି । ସବୁ ୧୯ ବର୍ଷରୁ କମ୍ ବିଜେତାଙ୍କ ଜୀବନ ବିରାଟ କୋହଲିଙ୍କ ଭଳି ହେବ ନାହିଁ । ଏପରିକି ଶିଖର ଧାଓ୍ଵନ କନିଷ୍ଠ ବିଶ୍ୱକପ୍ ଜିତିବାର ୯ ବର୍ଷ ପରେ ଟେଷ୍ଟ୍ ଖେଳିଥିଲେ । ଉନ୍ମୁକ୍ତ ଚାନ୍ଦ ନିଜେ ଏବେ ମଧ୍ୟ ଭାରତୀୟ ଦଳରେ ପ୍ରବେଶ କରି ପାରିନାହାନ୍ତି । ସବୁ ଖେଳାଳି ନିଶ୍ଚିତ ଭାରତୀୟ ଦଳରୁ ଖେଳିବାର ଆଶା ରଖିଥିବେ, କିନ୍ତୁ କିଛି ବରିଷ୍ଠ ଦଳରେ ସାମିଲ ହୋଇପାରିବେ । ଏହା ହିଁ ବାସ୍ତବତା ବୋଲି କହିଥିଲେ ଏହି ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ।