କାଲି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ! ନାଗପୁରରେ ହେବ ଦମଦାର ଲଢେଇ, ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ବିରାଟ ବାହିନୀ ।
କନକ ବ୍ୟୁରୋ : ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ହାଇଦ୍ରାବାଦ ଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ୬ ୱିକେଟରେ ବିଜୟ ହୋଇଥିଲା ବିରାଟ ବାହିନୀ । ଏହି ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ ହାତଛଡା କରିଥିବାରୁ ଦିନିକିଆ ସିରିଜ ଜିତି କଙ୍ଗାରୁ ଦଳ ଠାରୁ ବଦଲା ନେବାକୁ ଚାହିଁବ ଭାରତ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆସନ୍ତାକାଲି ନାଗପୁରର ବିଦ୍ରଭ କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡରେ ଦିନ ୧.୩୦ ମିନିଟରେ ଏହି ହାଇଭୋଲ୍ଟଟେଜ୍ ମ୍ୟାଚ୍ ଖେଳାଯିବ । ସେପଟେ କାଲି ମ୍ୟାଚରେ ସମସ୍ତଙ୍କ ନଜର ରହିବ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ଉପରେ । କାରଣ ନାଗପୁରରେ ରୋହିତଙ୍କର ଭଲ ରେକର୍ଡ ରହିଛି । ଏଠାରେ କଙ୍ଗାରୁ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଟି ମ୍ୟାଚ ଖେଳିଥିବା ବେଳେ ଦୁଇଟି ଯାକ ମ୍ୟାଚରେ ଶତକ ହାସଲ କରିଛନ୍ତି ରୋହିତ ଶର୍ମା । କାଲି ମ୍ୟାଚରେ ଅଷ୍ଟ୍ରେଲିଆ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିପାରନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା । ପ୍ରଥମ ମ୍ୟାଚ୍ ଜିତିଥିବାରୁ ଭାରତର ମନୋବଳ ମଧ୍ୟ ଦୃଢ ରହିଛି । କାଲିର ମ୍ୟାଚ ଜିତି ସିରିଜରେ ୨-୦ରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ ।