କାଲି ଦ୍ୱିତୀୟ ଦିନିକିଆ ! ଭାରତ ପାଇଁ ‘କର ବା ମର’ ସ୍ଥିତି, ଜାଣନ୍ତୁ ଆଡିଲେଡରେ କେମିତି ରହିଛି ଟିମ୍ ଇଣ୍ଡିଆର ପ୍ରଦର୍ଶନ ।

318

ଭାରତ ପାଇଁ କର ବା ମର ସ୍ଥିତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳ ଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଦିନିକିଆ ଭାରତ ପାଇଁ ନିର୍ଣ୍ଣାୟକ ହୋଇପଡିଛି । ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ବିପକ୍ଷରେ କାଲି ଅର୍ଥାତ ଜାନୁଆରୀ ୧୫ ତାରିଖରେ ଆଡିଲେଡ୍ ଠାରେ ଦ୍ୱିତୀୟ ଦିନିକିଆ ଖେଳିବ । ଗତ ଶନିବାର ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ କଙ୍ଗାରୁ ଦଳ ବିରାଟ ବ୍ରିଗେଡକୁ ୩୪ ରନରେ ହରାଇ ସିରିଜରେ ୧-୦ରେ ଆଗୁଆ ରହିଛି । ତେଣୁ ଆଡିଲେଡରେ ଭାରତ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

ଏହି କର ବା ମର ମୁକାବିଲାରେ ପରାଜିତ ହେଲେ ଭାରତର ସିରିଜ ଜିତିବା ସ୍ୱପ୍ନ ପାଣିରେ ମିଳେଇଯିବ । ଟିମ୍ ଇଣ୍ଡିଆକୁ ଯଦି ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିବାର ଆଶାକୁ ଉଜ୍ଜିବୀତ ରଖିବାକୁ ହେବ ତେବେ ଆଡିଲେଡରେ ଏହି ମ୍ୟାଚକୁ ଭାରତକୁ ଜିତିବାକୁ ପଡିବ । ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଦ୍ୱିପାକ୍ଷିକ ସିରିଜ ୨୦୧୬ରେ ଖେଳାଯାଇଥିଲା । ୫ଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତକୁ ୧-୪ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିଗତ ରେକର୍ଡ ଉପରେ ଯଦି ନଜର ପକାଇବା, ତେବେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୪୯ଟି ଦିନିକିଆ ମ୍ୟାଚ ଖେଳିଛି । ଆଉ ଏଥିରୁ ମାତ୍ର ୧୧ଟି ମ୍ୟାଚରେ ଭାରତ ବିଜୟ ହୋଇଥିବା ବେଳେ ୩୬ଟି ମ୍ୟାଚରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି ।

ଆସନ୍ତୁ ଜାଣିବା ଆଡିଲେଡରେ କେମିତି ରହିଛି ଭାରତର ପ୍ରଦର୍ଶନ :

ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ଏହି ମ୍ୟାଚରେ ସେହି ଗ୍ରାଉଣ୍ଡରେ ଖେଳାଯାଉଛି, ଯେଉଁଠି ଭାରତର ପ୍ରଦର୍ଶନ ଆଗରୁ ବହୁତ ଖରାପ ରହିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍ ଓବଲରେ ମୋଟ୍ ୫ଟି ଦିନିକିଆ ଖେଳାଯାଇଛି । ଆଉ ଏହି ୫ଟି ମ୍ୟାଚରୁ ଭାରତ କେବଳ ଗୋଟିଏ ମ୍ୟାଚରେ ହିଁ ଜିତିପାରିଛି । ୨୦୧୨ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତ ଏହି ବିଜୟ ହାସଲ କରିଥିଲା । ତେବେ କାଲିର ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ରହିବା ସହ ଭାରତ ପାଇଁ ନିର୍ଣ୍ଣାୟକ ମଧ୍ୟ ହେବ ।