ଆସନ୍ତା ୨୫ ରେ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ : ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

22

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖରେ ଭୁବନେଶ୍ୱର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଭୁବନେଶ୍ୱର ଏମ୍ସର ସମାବର୍ତନ ଉତ୍ସବ ଚଳିତ ମାସ ୨୫ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଯୋଗ ଦେବେ। ଏ ନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟଳୟରୁ ଭୁବନେଶ୍ୱର ଏମ୍ସକୁ ଚିଠି ଯୋଗେ ଜଣାଇ ଦିଆଯାଇଛି। ପୂର୍ବରୁ ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ ବୋଲି ପୂର୍ବରୁ ସ୍ଥିର କରାଯାଇଥିଲା। ୨୦୧୨ ମସିହା ବ୍ୟାଚର ମେଡିକାଲ ପାସ୍ ଆଉଟ୍ ଛାତ୍ରଛାତ୍ରୀ ଓ ୨୦୧୩ ମସିହାର ନର୍ସିଂ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଥିଲେ।

 

୨୦୧୭ ଡିସେମ୍ବରରୁ ଏହି କାର୍ଯ୍ୟକ୍ରମ ହେବ ବୋଲି ଦିନ ଗଡ଼ି ଚାଲିଥିବା ବେଳେ ଚଳିତ ୧୬ ତାରିଖକୁ ଧାର୍ଯ୍ୟ ହେବା ପରେ ସମସ୍ତେ ଖୁସି ଥିଲେ। ତେଣୁ ଏମ୍ସ କର୍ତ୍ତୃପକ୍ଷ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ସେହିଭଳି ପ୍ରଶାସନ ଓ କମିସନରେଟ୍ ପୁଲିସ ପକ୍ଷରୁ ମଧ୍ୟ ଉପରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତକୁ ନେଇ ପ୍ରସ୍ତୁତି ସରିଥିଲା। ମାତ୍ର ହଠାତ୍ ଉପରାଷ୍ଟ୍ରପତିଙ୍କ ୧୬ ତାରିଖ ଗସ୍ତ ବାତିଲ୍ ହୋଇଥିଲା। ତେଣୁ ଏମ୍ସ ସମାବର୍ତନ ଉତ୍ସବକୁ ମଧ୍ୟ ବାତିଲ୍ କରାଯାଇଥିଲା। ସେହିଭଳି ଏମ୍ସରେ ନାଲକୋ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଧର୍ମାଶଳା ଓ ଏନଟିପିସି ପ୍ରଦତ୍ତ ବର୍ଣ୍ଣ ୟୁନିଟର ଶିଳାନ୍ୟାସ ହେବାର ଥିଲା। କିନ୍ତୁ ଆଜି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟଳୟରୁ ୨୫ ତାରିଖ ପାଇଁ ଚିଠି ମିଳିବା ପରେ ସବୁ ମହଲରେ ଖୁସିର ମାହୋଲ ଦେଖାଦେଇଛି। ସମାବର୍ତନ ଉତ୍ସବ ଅବସରରେ ମୁଖ୍ୟ ଅତିଥିଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ ଓ ତରଳ ଅମ୍ଳଜାନ ପ୍ଲାଣ୍ଟ ଭଳି କିଛି ନୂଆ ପ୍ରକଳ୍ପର ଉଦ୍ଘାଟନ ହେବ।