ଆତଙ୍କବାଦୀ ସାବଧାନ ! ଏଣିକି ଆକାଶମାର୍ଗରୁ ଚୀନ ଓ ପାକିସ୍ତାନ ସୀମା ଉପରେ ନଜର ରଖିବ ଭାରତ

49

କନକ ବ୍ୟୁରୋ : ଏଣିକି ଭାରତୀୟ ସୀମାକୁ ସୁରକ୍ଷା ଦେବ ସାଟେଲାଇଟ । ଡୋକଲାମ ବିବାଦର ଅବସାନ ପରେ ସୀମାରେ ଚୀନ ଓ ପାକିସ୍ତାନର ସମସ୍ତ ଚାଲାକିକୁ ଧରିବା ପାଇଁ ଭାରତ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛି । ପାକିସ୍ତାନ ଓ ଚୀନ୍ ସୀମାକୁ ଲାଗିଥିବା ଅଞ୍ଚଳରେ ବାରମ୍ବାର ଅନୁପ୍ରବେଶ ଓ ଭାରତ ବିରୋଧୀ ଷଡଯନ୍ତ୍ର ଉପରେ ନଜର ରଖିବାକୁ ସାଟେଲାଇଟର ବ୍ୟବହାର କରିବାକୁ ଭାରତ ସରକାର ସ୍ଥିର କରିଛନ୍ତି ।

ଏହି ସାଟେଲାଇଟର ବ୍ୟବହାର ଫଳରେ ସୀମାରେ ମୁତୟନ ଥିବା ଆଇଟିବିପି ଓ ବିଏସଏଫ୍ ଯବାନ ମାନେ ଭାରତ ବିରୋଧୀ ଷଡଯନ୍ତ୍ର ଓ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ସମ୍ପୁର୍ଣ୍ଣ ତଥ୍ୟ ପାଇ ପାରିବେ । ତା ଛଡା ଏହି ସାଟେଲାଇଟ ଲାଗିବା ପରେ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରୁ ବସି ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ ।

ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ସୀମାରେ ଏହି ସାଟେଲାଇଟ ବ୍ୟବହାର କରିବା ପାଇଁ ଆଇଟିବିପି, ବିଏସଏଫ,ଏସଏସବି ଓ ଇସ୍ରୋ ଅଧିକାରୀଙ୍କ ସହ ଗୃହ ମନ୍ତ୍ରାଳୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ସାଟେଲାଇଟ ସୀମାରେ ଲାଗିବା ପରେ ଚୀନ୍, ପାକିସ୍ତାନ, ବାଲାଂଦେଶ, ଓ ନେପାଳକୁ ଲାଗି କରିଥିବା ସୀମାରେ ହେଉଥିବା ଅନୁପ୍ରବେଶକୁ ରୋକାଯାଇପାରିବ ।

ବିଶେଷକରି ଡୋକଲାମ ଭଳି ଘଟଣା ପରେ ଅଧିକ ସକ୍ରିୟ ହୋଇ ଉଠିଛି ଭାରତୀୟ ସେନା । ଏପରିକି ପାକିସ୍ତାନ ପଟୁ ବାରମ୍ବାର ହେଉଥିବା ଆତଙ୍କବାଦୀ ଅନୁପ୍ରବେଶକାରୀ ଓ ବାଲାଂଦେଶ ସୀମାରେ ହେଉଥିବା ଚୋରା କାରାବାର ଉପରେ ଏହି ସାଟେଲାଇଟ ନଜର ରଖିବ । ଦିଲ୍ଲୀ ଏନସିଆରରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଏସବୁ ଗତିବିଧି ଉପରେ ନଜର ରଖି ତୁରନ୍ତ ସୀମାରେ ଥିବା ଯବାନଙ୍କୁ ସୂଚନା ଦେବ । ଯାହାଫଳରେ ଯବାନ ମାନେ ତୁରନ୍ତ ଏହି ଆତଙ୍କବାଦୀଙ୍କୁ ଧରିବାରେ ସକ୍ଷମ ହେବେ ।

ସାଟେଲାଇଟ ବ୍ୟବହାର ପରେ ସେନାକୁ କଣ ଫାଇଦା ମିଳିବ;
• ବର୍ଡରରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପର ଫଟୋ ସହ ସମ୍ପୂର୍ଣ୍ଣ ତଥ୍ୟ ତୁରନ୍ତ ଯବାନଙ୍କୁ ମିଳିପାରିବ ।
• ସୀମାରେ ସୁରକ୍ଷା ପ୍ରହରା ଦେଉଥିବା ଯବାନ ମାନେ ତତକ୍ଷଣାତ୍ ଆତଙ୍କବାଦୀଙ୍କ ଗୁପ୍ତ ତଥ୍ୟ ପାଇବାରେ ସକ୍ଷମ ହେବେ ।
• ସାଟେଲାଇଟରେ ଲାଗିଥିବା କ୍ୟାମେରା ଯୋଗୁଁ ବିଭିନ୍ନ ଆତଙ୍କବାଦୀ ଅପରେସନ ସମୟରେ ଏହା ସହାୟକ ହେବ ।
• ସୀମାରେ ଉତ୍ତମ ଯୋଗାଯୋଗ ପାଇଁ ମଧ୍ୟ ଏହି ସାଟେଲାଇଟକୁ ବ୍ୟବହାର କରାଯାଇ ପାରିବ ।