ବିଗୁଡୁଛି ଭାରତ ଆମେରିକା ସମ୍ପର୍କ : ଟୁ ପ୍ଲସ୍ ଟୁ ବୈଠକ ସ୍ଥଗିତ, ଟିକସକୁ ନେଇ ଦୁଇ ଦେଶ ମୁହାଁମୁହିଁ

58

କନକ ବ୍ୟୁରୋ : ବିଗିଡିଲା ଭାରତ ଓ ଆମେରିକା ସମ୍ପର୍କ । ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଉ ପୂର୍ବ ଭଳି ଭଲ ନାହିଁ । ଜୁଲାଇ ୬ରେ ହେବାକୁ ଥିବା ଟୁ ପ୍ଲସ୍ ଟୁ ବୈଠକକୁ ଆମେରିକା ସ୍ଥଗିତ ରଖିବା ବିଷୟରେ ଘୋଷଣା କରିବା ପରେ ଏହା ଅଧିକ ସ୍ପଷ୍ଟ ହୋଇଯାଇଛି । କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ସହ ବ୍ୟକ୍ତିଗତ କାରଣ ଯୋଗୁଁ ବୈଠକକୁ ସ୍ଥଗିତ ରଖାଯାଉଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରା. ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଆମେରିକାର ବୈଦେଶିକ ବିଭାଗ ଓ ପ୍ରତିରକ୍ଷା ସଚିବଙ୍କ ମଧ୍ୟରେ ରଣନୀତିପୂର୍ଣ୍ଣ ସହଯୋଗିତା, ନିରାପତା ଓ ପ୍ରତିରକ୍ଷା ସହଯୋଗିତା ଉପରେ ଆଲୋଚନା ହୋଇଥାନ୍ତା ।

ତେବେ ବୈଠକ ସ୍ଥଗିତ ହେବା ପଛରେ ମୁଖ୍ୟ କାରଣ ଜୁଲାଇ ୧୫ରେ ହେବାକୁ ଥିବା ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ବୋଲି କୁହାଯାଉଛି । ଅନ୍ୟପଟେ ଇରାନଠାରୁ ନଭେମ୍ବର ୪ସୁଦ୍ଧା ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମେରିକା ଭାରତ ସମେତ ବିଭିନ୍ନ ଦେଶକୁ ଗତକାଲି ଧମକ ଦେଇଥିଲା । ସେହିପରି ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଭାରତର ଶୁଳ୍କ ବୃଦ୍ଧି ଘୋଷଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଟ୍ରମ୍ପ । ତେଣୁ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟକ କାରବାରକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି । ଏଥିରୁ ଜଣାପଡୁଛି ଭାରତ ଆଉ ଆମେରିକାର ଅଗ୍ରାଧିକାର ଦେଶ ତାଲିକାରେ ନାହିଁ ।