ଆଫଗାନିସ୍ତାନରେ ଶାନ୍ତି, ସୁରକ୍ଷା ଓ ବିକାଶ ପାଇଁ ବଡ ବୈଠକ : ମସ୍କୋରେ ଏକାଠି ହେବେ ଚୀନ୍, ଭାରତ, ଆମେରିକା ସହ ୧୨ ଦେଶର ପ୍ରତିନିଧି

ଆଲୋଚନା ଟେବୁଲରେ ବସିବେ ତାଲିବାନୀ ଆତଙ୍କବାଦୀ

80

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ତାଲିବାନୀ ପ୍ରତିନିଧିଙ୍କ ସହ ଗୋଟିଏ ମଂଚ ବସିବେ ଭାରତୀୟ ପ୍ରତିନିଧି । ଆଫଗାନିସ୍ଥାନର ସୁରକ୍ଷା, ଶାନ୍ତି ଏବଂ ପ୍ରଗତି ପ୍ରସଙ୍ଗରେ ଆଜି ରୁଷିଆର ମସ୍କୋରେ ବସୁଛି ଏକ ଅର୍ନ୍ତଜାତୀୟ ବୈଠକ । ଯାହାର ନାଁ ରିହିଛି ମସ୍କୋ ଫର୍ମାଟ୍ । ଏହି ବୈଠକ ପାଇଁ ଆଫାଗାନିସ୍ଥାନ, କାଜାକସ୍ଥାନ, କିର୍ଗିସ୍ତାନ, ଚାଇନା, ପାକିସ୍ତାନ, ତାଜାକିସ୍ତାନ, ତୁର୍କମେନୀସ୍ଥାନ, ଉଜବେକିସ୍ତାନ, ଆମେରିକା ପ୍ରତିନିଧିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସୂଚନା ଅନୁସାରେ ଆଫଗାନିସ୍ତାନରେ ଥିବା ଭାରତର ରାଷ୍ଟ୍ରଦୂତ ଅମର ସିହ୍ନା ଏବଂ ପାକିସ୍ତନରେ ଥିବା ଭାରତୀୟ ହାଇକମିଶନର ଏହି ମସ୍କୋ ଟକରେ ଭାରତର ପ୍ରତିନିଧିତ୍ୱ କରିବେ ।

ଅନଔଚାରିକ ଭାବରେ ଏହି ଦୁଇଜଣ ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିବେ । ଏହି ବୈଠକ ଅବସରରେ ଆଫଗାନିସ୍ତାନରେ ତାଲିବାନ ଆନ୍ଦୋଳନର ନେତୃତ୍ୱ ନେଉଥିବା ପ୍ରତିନିଧିଙ୍କ ସହ ଭାରତୀୟ ଡେଲିଗେସନ୍ ଆଲୋଚନା କରିବାର ଯଥେଷ୍ଟ ସଂଭାବନା ରହିଛି । ବୈଠକର ଆୟୋଜନ କରୁଥିବା ରୁଷିଆ କହିଛି- ଶାନ୍ତି ଓ ପ୍ରଗତୀ ପାଇଁ ବସୁଥିବା ଏହି ବୈଠକରେ ଭାରତର ଉପସ୍ଥିତି ବେଶ ଗୁରୁତ୍ୱ ବହନ କରୁଛି ।

ଏଥିରେ ଆଫଗାନିସ୍ଥାନ ସରକାରଙ୍କ ପକ୍ଷରୁ ସିଧାସଳଖ କୌଣସି ପ୍ରତିନିଧି ଭାବ ନେଉନଥିଲେ ବି ଶାନ୍ତି କାଉନସିଲର ଏକ ପ୍ରତିନିଧି ଦଳ ବୈଠକରେ ଆଫଗାନ୍ ପକ୍ଷରୁ ପ୍ରତିନିଧିତ୍ୱ କରିବ । ଆଫଗାନିସ୍ଥାନର ସ୍ଥିରତା ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ସେଠାରେ ପାର୍ଲାମେଂଟ ଭବନ ନିର୍ମାଣ, ଜଳ ସେଚନ ପାଇଁ ଡ୍ୟାମ୍ ନିର୍ମାଣ ଏବଂ ପରିବହନର ବିକାଶ ପାଇଁ ବନ୍ଦର ନିର୍ମାଣ ଭଳି ଅନେକ ବିକାଶମୂଳକ ପଦକ୍ଷେପରେ ଭାରତ ଆଫଗାନିସ୍ତାନକୁ ସହଯୋଗ କରି ଆସିଛି ।