ଆମେରିକାର ଚେତାବନୀକୁ ଭାରତର ଫୁ ! ଇରାନ ସହ ଜାରି ରହିବ ତେଲ କାରବାର

4

କନକ ବ୍ୟୁରୋ : ଆମେରିକାର ଚେତାବନୀ ପରେ ମଧ୍ୟ ଭାରତ ଓ ଋଷ ମଧ୍ୟରେ ଏସ ୪୦୦ ମିଶାଇଲ ବ୍ୟବସ୍ଥା ନେଇ ଚୁକ୍ତି ସାକ୍ଷର ହୋଇଛି । ସେହିପରି ଆମେରିକାର ନାଲି ଆଖି ସତ୍ୱେ ଶୁକ୍ରବାର ଇରାନ ସହ ତେଲ କାରବାର ଜାରି ରଖିବା ପାଇଁ ସ୍ପଷ୍ଟ କରି ଦେଇଛି । ଆମେରିକାର କଟକଣା ସତ୍ୱେ ଇରାନ ସହ ବ୍ୟବସାୟ କରିବାକୁ ଭାରତ ଘୋଷଣା କରିଛି । ସାର୍ବଜନିକ କ୍ଷେତ୍ରର କମ୍ପାନୀମାନେ ପଶ୍ଚିମ ଏସୀୟ ଦେଶରୁ ୧୨.୫ ଲକ୍ଷ ଟନ୍ ଅଶୋଧିତ ତେଲ ଆମଦାନୀ କରିପାରିବେ । ଏପରିକି ସେମାନେ ଡଲାର ଛାଡି ଟଙ୍କାର ହିସାବରେ ମଧ୍ୟ ବେପାର କରିପାରିବେ ବୋଲି ସରକାର କହିଛନ୍ତି । ପୂର୍ବରୁ ଆମେରିକା ଋଷ ଓ ଇରାନ ସହ ବେପାର କରିବା ନେଇ ଅସନ୍ତୋଷ ଜାହିର କରିଥିଲା । ଏପରିକି ଦଣ୍ଡାତ୍ମକ କଟକଣା ଲଗାଇବା ନେଇ ସୂଚନା ଦେଇଥିଲା ।
ସେପଟେ ଗତକାଲି ଭାରତ ଓ ଋଷ ମଧ୍ୟରେ ବହୁପ୍ରତିକ୍ଷୀତ ଏସ-୪୦୦ ଚୁକ୍ତି ଉପରେ ମୋହର ଲାଗିଛି । ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଉପରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଆଧାରରେ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ୍ର ୫ଟି ସେଟ୍ କିଣିବ ଭାରତ । ଏହା ସହ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁଯାୟୀ ସାଇବେରିଆରେ ଏକ ଇଣ୍ଡିଆନ ମନିଟରିଙ୍ଗ ଷ୍ଟେସନ ମଧ୍ୟ ଖୋଲାଯିବ । ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ୧୯ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ବୈଠକ ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ମୋଟ ୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦ୍ୱିପାକ୍ଷିକ ବାର୍ତା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମିଳିତ ପ୍ରେସ ବିବୃତି ରଖିଛନ୍ତି ।

Comments are closed.