ଆମେରିକା-ଚୀନ୍-ରୁଷକୁ ପଛରେ ପକାଇବ ‘ଚନ୍ଦ୍ରଯାନ-୨’: ଚନ୍ଦ୍ରର ଦକ୍ଷିଣ ମେରୁରେ ହେବ ପ୍ରଥମ ଅବତରଣ

ସେପ୍ଟେମ୍ବର ୭ରେ ଚନ୍ଦ୍ରରେ ଅବତରଣ; ସଫଳ ହେଲେ ଭାରତକୁ ମିିଳିବ ବଡ ଉପଲବ୍ଧି

140

କନକ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗତକାଲି ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ସହ ଆମେରିକା, ରୁଷ୍ ଏବଂ ଚୀନକୁ ପଛରେ ପକାଇ ଦେଇଛି। ଆଉ ୪୮ ଦିନ ପରେ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ । ପୂର୍ବରୁ କୌଣସି ରାଷ୍ଟ୍ରର ଚନ୍ଦ୍ର ଅଭିଯାନ ଏହି ପାର୍ଶ୍ବକୁ ଛୁଇଁ ପାରିନାହିଁ। ତେଣୁ ପ୍ରଥମ ଅବତରଣ ଅଭିଯାନରେ ଭାରତ ଏକ ବିରଳ ସଫଳତା ହାସଲ କରିବାକୁ ଯାଉଛି ବୋଲି ନାସାର ବୈଜ୍ଞାନିକମାନେ କହିଛନ୍ତି। ଚନ୍ଦ୍ରର ଦକ୍ଷିଣ ମେରୁ ସଂପର୍କରେ ହିଁ ଏ ପର୍ଯ୍ୟନ୍ତ ଅଧିକ ତଥ୍ୟ ମିଳିନାହିଁ ଏବଂ ଦକ୍ଷିଣ ମେରୁରେ ଭାରତର ଅବତରଣ ପରେ ଚନ୍ଦ୍ରର ଅନେକ ରହସ୍ୟ ଉନ୍ମୋଚିତ ହେବ।

ପୂର୍ବରୁ ରୁଷ୍ ଆମେରିକା ଏବଂ ଚୀନ୍ ଚନ୍ଦ୍ରରେ ଅବତରଣ କରି ସଫଳତା ହାସଲ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଦକ୍ଷିଣ ପାର୍ଶ୍ବରେ ଅବତରଣ କରିପାରି ନାହାନ୍ତି। ସମସ୍ତଙ୍କ ଅଭିଯାନ କେବଳ ଚନ୍ଦ୍ରର ଉତ୍ତର ମେରୁରେ ସୀମିତ ରହିଥିଲା। ଭାରତର ଚନ୍ଦ୍ରଯାନ-୧ ମିସନରୁ ଦକ୍ଷିଣ ମେରୁରେ ଜଳର ସନ୍ଧାନ ମିଳିଥିଲା। ଏହାପରେ ସମଗ୍ର ବିଶ୍ବର ନଜର ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ କେନ୍ଦ୍ରୀଭୂତ ହୋଇଥିଲା। ଏବେ ଭାରତ ପ୍ରଥମ ରାଷ୍ଟ୍ର ଭାବେ ସେଠାରେ ଅବତରଣ କରି ମହାକାଶ ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ।

ଇସ୍ରୋର ଚନ୍ଦ୍ରଯାନ-୧ ଅଭିଯାନର ସଫଳତାକୁ ପାଥେୟ କରି ଚନ୍ଦ୍ରଯାନ-୨ ଅଭିଯାନକୁ ଅଧିକ ବ୍ୟାପକ କରାଯାଇଛି। ଏହି ଜଟିଳ ମିସନର ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଭାରତ ସଂପୂର୍ଣ୍ଣ ନିଜସ୍ବ ପ୍ରୟାସରେ ମାନବ ମିସନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ଏ ପର୍ଯ୍ୟନ୍ତ ଚନ୍ଦ୍ରରେ ୧୨ ଜଣ ଅବତରଣ କରିଛନ୍ତି। ଆମେରିକୀୟ ମହକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ୍ ୨୦ ଜୁଲାଇ ୧୯୬୯ରେ ପ୍ରଥମେ ଚନ୍ଦ୍ରରେ ପାଦ ଦେଇଥିଲେ। ଭାରତ ଚନ୍ଦ୍ରଯାନ-୨କୁ ତା’ର ସବୁଠାରୁ ଶକ୍ତିଶାଳୀ ରକେଟ୍ ଜିଏସ୍ଏଲଭି ଏମକେ-୩ ଦ୍ବାରା ଉତକ୍ଷେପଣ କରିଛି ଏବଂ ଏହି ରକେଟ୍ ପୂର୍ବାପେକ୍ଷା ଏବେ ଅଧିକ ଶକ୍ତିଶାଳୀ ହୋଇଉଠିଛି। ଚନ୍ଦ୍ରଯାନ ୨ ଗତକାଲି ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଥିବା ବେଳେ ଏହା ୧୬ ଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରି ଚନ୍ଦ୍ର ଆଡ଼କୁ ବଢ଼ିବ।

ପ୍ରମୁଖ ଚନ୍ଦ୍ର ଅଭିଯାନ

ଚନ୍ଦ୍ରକୁ ଅଧ୍ୟୟନ କରିବାପାଇଁ ଏବଂ ଏହାର ସବୁ ରହସ୍ୟ ଉନ୍ମୋଚନ ପାଇଁ ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟ ଧରି ଅହରହ ପ୍ରୟାସ ଚାଲିଛି। ଚନ୍ଦ୍ର ଅବତରଣ କରିବାରେ ଲୁନା- ୨ ହେଉଛି ସୋଭିଏତ ୟୁନିଅନର ପ୍ରଥମ ମହାକାଶଯାନ। ଏହା ସଫଳତାର ସହ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା। ସେପ୍ଟେମ୍ବର ୧୩, ୧୯୫୯ରେ ଏହାର ଅବତରଣ ମହାକାଶ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା।

• ୧୯୬୬ରେ ଲୁନା-୯ ପ୍ରଥମ ମହାକାଶ ଯାନ ଅତି ନିୟନ୍ତ୍ରିତ ଭାବେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ କରିବାରେ ସକ୍ଷମ ହୋଇଥିଲା।

• ଲୁନା-୧୦ ପ୍ରଥମ ମିସନ୍ ଭାବେ ଅର୍ବିଟରେ ପ୍ରବେଶ କରିଥିଲା।

• ୧୯୬୮ରୁ ୧୯୭୨ ମଧ୍ୟରେ ଚନ୍ଦ୍ରପୃଷ୍ଠକୁ ମାନବ ମିସନ୍ ଆରମ୍ଭ ହୋଇଥିଲା। ଆପୋଲୋ ପ୍ରୋଗ୍ରାମର ଏକ ଅଂଶବିଶେଷ ଭାବେ ଆମେରିକା ଦ୍ବାରା ପ୍ରଥମେ ଏହି ମିସନ୍ ପରିଚାଳନା ହୋଇଥିଲା।

• ୧୯୬୮ ଡିସେମ୍ବରରେ ଆପୋଲୋ- ୮ ପ୍ରଥମ ମାନବ ମିସନ୍ ଭାବେ ଅର୍ବିଟ୍ରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା। ଏହାପରେ ମେ’ ୧୯୬୯ରେ ଆପୋଲୋ ୧୦ ଅର୍ବିଟରେ ପ୍ରବେଶ କରିଥିଲା।

• ୧୯୬୯ ଜୁଲାଇରେ ଆପୋଲୋ ୧୧ ଦ୍ବାରା ଏହି ମିସନ୍ ଆରମ୍ଭ ହୋଇଥିଲା। ନିଲ୍ ଆର୍ମଷ୍ଟ୍ରଙ୍ଗ୍ ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ।

• ସୋଭିଏତ୍ ୟୁନିଅନ୍, ଆମେରିକା, ୟୁରୋପୀୟ ମହାକାଶ କେନ୍ଦ୍ର, ଜାପାନ୍, ଭାରତ, ଚୀନ୍ ଏବଂ ଇସ୍ରାଏଲ ଦ୍ବାରା ମୁନ୍ ମିସନ୍ ଆରମ୍ଭ।

• ଭାରତ ଅକ୍ଟୋବର ୨୨ , ୨୦୦୮ରେ ଚନ୍ଦ୍ରଯାନ-୧ର ସଫଳ ଉତକ୍ଷେପଣ କରିଥିଲା। ଏହା ଚନ୍ଦ୍ରପୃଷ୍ଠରେ ଜଳ ଥିବା ସ୍ପଷ୍ଟ କରିଥିଲା। ଚନ୍ଦ୍ରଯାନ-୧ ଉତକ୍ଷେପଣ ହେବାର ଦୀର୍ଘ ୧୧ ବର୍ଷ ପରେ ଚନ୍ଦ୍ରଯାନ-୨ ଉତକ୍ଷେପଣ ହୋଇଛି। ଚନ୍ଦ୍ରଯାନ-୧ କେବଳ କକ୍ଷପଥରେ ଘୂରିଥିବା ବେଳେ ଚନ୍ଦ୍ରଯାନ-୨ ମିସନରେ ଭାରତ ସିଧା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଏବଂ ଚନ୍ଦ୍ରର ଗଠନ ସମ୍ପର୍କରେ ଅଧ୍ୟୟନ କରିବ।

Comments are closed.