ଜୈସ କମାଣ୍ଡରର ମୁଣ୍ଡ ଗଡିଲା: ପାକିସ୍ତାନରେ ଆକ୍ରମଣ ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସୂଚନା, ଆକ୍ରମଣରେ ଜୈସ କମାଣ୍ଡର ଓ ଆତ୍ମଘାତୀ ଆତଙ୍କବାଦୀ ନିହତ

ଜେଶ-ଏ-ମହମ୍ମଦର କଂଟ୍ରୋଲ ରୁମ ଉପରେ କରାଯାଇଛି ଆକ୍ରମଣ

472

କନକ ବ୍ୟୁରୋ: ପାକିସ୍ତାନରେ ଆକ୍ରମଣ ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠନିକ ଭାବେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରିଛି । ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର କଂଟ୍ରୋଲ ରୁମରେ ଏହି ଆକ୍ରମଣ କରାଯାଇଥିବା କୁହାଯାଇଛି । ଭାରତୀୟ ବାୟୁସେନାର ଏହି ଆକ୍ରମଣରେ ଜୈଶର କମାଣ୍ଡର ଓ ଆତ୍ମଘାତୀ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ଦିଆଯାଇଛି । ଗୁଇନ୍ଦା ସୂଚନାକୁ ଆଧାର କରି ଆଜି ଭୋରରୁ ଏହି ଆକ୍ରମଣ କରାଯାଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଘଂଚ ଜଙ୍ଗଲ ଭିତରେ ଥିବା ଏକ ପାହାଡ ଉପରେ ବାଲାକୋଟ କ୍ୟାମ୍ପ ଉପରେ ଏହି ଆକ୍ରମଣ କରାଯାଇଛି । ଏହା ଜୈଶର ଏକ ସବୁଠୁ ବଡ କ୍ୟାମ୍ପ ବୋଲି ସୂଚନା ମିଳିଛି । ତେବେ ଭାରତୀୟ ବାୟୁସେନାର ଏହି ଆକ୍ରମଣରେ କିପରି ସାଧାରଣ ନାଗରିକଂକୁ କୌଣସି କ୍ଷୟକ୍ଷତି ପହଂଚିବ ନାହିଁ ସେ ନେଇ ଧ୍ୟାନ ରଖାଯାଇଥିଲା । ଆଜି ଭୋର ୩ଟା୩୦ବେଳେ ପ୍ରାୟ ୨୧ମିନିଟ ଧରି ଏହି ଆକ୍ରମଣ ଚାଲିଥିଲା ।

ଭାରତୀୟ ସେନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଆକ୍ରମଣରେ ଜେଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୩ଟି କଂଟ୍ରୋଲ ରୁମ୍ ଧ୍ୱଂସ ହୋଇଥିବା ବେଳେ ୨ଶହରୁ ୪୦୦ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ବାଲାକୋଟ୍, ଚକୋଟି ଓ ମୁଜାଫରବାଦ୍ ଲଂଚ ପ୍ୟାଡକୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁସେନା । ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ୍ ଯୁଦ୍ଧ ବିମାନ ।

ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୩ଟା ୪୮ରେ ମୁଜାଫରବାଦ୍ ଲଂଚ ପ୍ୟାଡରେ ହମଲା କରିଥିଲେ ଭାରତୀୟ ସେନା । ମୁଜାଫରବାଦ ଆକ୍ରମଣର ୧୦ ମିନିଟ୍ ପରେ ୩ଟା ୫୮ ମିନିଟ୍ରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବମୋ ବର୍ଷା କରିଛି ବାୟୁସେନା ବିମାନ ମିରାଜ-୨୦୦୦ । ମିଳିଥିବା ସୂଚନା ଅନୁସାରେ, ଏହି ୩ଟି ଲଂଚ ପ୍ୟାଡ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଥିଲା । ଏଠାରେ ଜେଶ ଏ ମହମ୍ମଦ, ଲସ୍କରତୈବା ଓ ମୁଜାହୁଦିନ୍ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିଛି ।