ଲଦାଖରେ ଭାରତର ରାସ୍ତା ନିର୍ମାଣ ଚୀନ୍ ପାଇଁ ପାଲଟିଲା ମୁଣ୍ଡବିନ୍ଧାର କାରଣ !

34

କନକ ବ୍ୟୁରୋ : ଡୋକଲାମ ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଥିବା ବେଳେ ଭାରତ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ୨୦କିମିର ଏକ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବାରୁ ଚୀନ ଆହୁରି ଉତ୍ତକ୍ଷିପ୍ତ ହୋଇଛି। ଭାରତ ନିଜ ଗାଲରେ ନିଜେ ଚାପୁଡ଼ା ମାରୁଥିବା ଚୀନ କହିଛି। ଭାରତର ଦୋମୁହାଁ ନୀତି ଫଳରେ ଡୋକଲାମ ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ିବ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନ୍ୟିଙ୍ଗ କହିଛନ୍ତି।

ଡୋକଲାମରେ ଚୀନର ରାସ୍ତା ନିର୍ମାଣକୁ ଭାରତ ବିରୋଧ କରୁଥିବା ବେଳେ ନିଜେ କିପରି ସୀମାରେ ରାସ୍ତା ନିର୍ମାଣ କରିବାକୁ ଯୋଜନା କରୁଛି ସେ ନେଇ ପ୍ରଶ୍ନ ଉଠାଇଛି ଚୀନ୍ । ଭାରତର ଏଭଳି କାର୍ଯ୍ୟଧାରା ତାର କଥା ଠାରୁ ଭିନ୍ନ ଥିବା ପ୍ରମାଣିତ କରୁଛି। ସୀମା ବିବାଦରେ ଭାରତ ସଂପୂର୍ଣ୍ଣ ଓଲଟା କାର୍ୟ୍ୟପନ୍ଥା ଆପଣାଉଥିବା ଚୀନ୍ ଅଭିଯୋଗ କରିଛି। ଗୋଟିଏ ପକ୍ଷରେ ଡୋକଲାମ ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟ ପକ୍ଷରେ ରାସ୍ତା ନିର୍ମାଣ ଶାନ୍ତି ପ୍ରକ୍ରିୟାକୁ ବ୍ୟାହତ କରୁଥିବା ହୁଆ କହିଛନ୍ତି।

ଏହା ଦ୍ୱାରା ବିବାଦର ସମାଧାନ ପରିବର୍ତ୍ତେ ଆହୁରି ଜଟିଳ ହେବ ବୋଲି ହୁଆ କହିଛନ୍ତି। ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍ଏସି)ର ପାଙ୍ଗୋଙ୍ଗ ହ୍ରଦ ନିକଟରେ ମାର୍ସିମିକ ଲଦାଖ ଠାରୁ ଲଦାଖର ହଟ୍ ସ୍ପ୍ରିଙ୍ଗ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ପାଇଁ ଭାରତର ଗୃହ ମନ୍ତ୍ରାଳୟ ଅନୁମୋଦନ କରିଛି। ଭାରତର ରାସ୍ତା ନିର୍ମାଣ ନେଇ ଭାରତୀୟ ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି।