ଆଜି ଇନ୍ଦୋରରେ ଦ୍ୱିତୀୟ ଟି -୨୦ । ମ୍ୟାଚ ଜିତ ସିରିଜ କବଜା ଲକ୍ଷ୍ୟରେ ଭାରତ । ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି ।

34

କନକ ବ୍ୟୁରୋ : ବାରବାଟୀରେ ଭାରତୀୟ ଦଳର ବିଜୟ ପରେ ଇନ୍ଦୋରକୁ ଅପେକ୍ଷା । କଟକରେ ଦମଦାର ପ୍ରଦର୍ଶନ ପରେ ଆଉ ଏକ ବିଜୟ ସହ ମୁଣ୍ଡି ମାରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ କ୍ରିକେଟ ଦଳ । ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଶୁକ୍ରବାର ଏଠାରେ ଶ୍ରୀଲଙ୍କା ବିପକ୍ଷ ତିନି ଟିକିଆ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଖେଳାଯିବ। କଟକରେ ରନ ବ୍ୟବଧାନରେ ସର୍ବବୃହତ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ ଦଳ ଏହି ମୁକାବିଲାକୁ ଜିତି ପାରିଲେ ଟେଷ୍ଟ ଓ ଦିନିକିଆ ଭଳି ଟି-୨୦କୁ ମଧ୍ୟ ଜିତିନେବ।

ସେପଟେ ଲଗାତାର ଶୃଙ୍ଖଳା ପରାଜୟ ଟାଳିବା ଲାଗି ଶ୍ରୀଲଙ୍କା ପାଇଁ ଇନ୍ଦୋର ମ୍ୟାଚ ଶେଷ ସୁଯୋଗ ହେବ।କଟକରେ ବୁଧବାର ଖେଳା ଯାଇଥିବା ପ୍ରଥମ ଟି-୨୦ ଏକପାଖିଆ ଥିଲା। ଭାରତ ସବୁ ଦିଗରୁ ଶ୍ରୀଲଙ୍କାକୁ ଧୂଳି ଚଟାଇ ଦେଇଥିଲା। ନିୟମିତ ଅଧିନାୟକ ବିରାଟ କୋହଲି. ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ ଏବଂ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କା ଏଥିରୁ କୌଣସି ଲାଭ ଉଠାଇ ପାରିନଥିଲା। ଆଞ୍ଜେଲୋ

ମାଥ୍ୟୁସଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ସିଂହଳୀ ଦଳ ସେ ପାଭିଲିୟନ ଫେରିବା ପରେ ମାତ୍ର ୮୭ ରନରେ ସୀମିତ ରହି ଯାଇଥିଲା। ଦୁଇ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ଚମକରେ ଶ୍ରୀଲଙ୍କା ପୂରା ଘାଇଲା ହୋଇ ଯାଇଥିଲା। ଭାରତୀୟ ଦଳରେ ଆସନ୍ତାକାଲି କୌଣସି ପରିବର୍ତନ ହେବାର ଆଶା କମ। ଅନ୍ୟ ପକ୍ଷରେ ଶ୍ରୀଲଙ୍କା ପାଇଁ ସବୁ ବିକଳ୍ପ ଖୋଲା ରହିଛି। ଭାରତକୁ ହରାଇବାକୁ ହେଲେ କିନ୍ତୁ ଅଧିନାୟକ ତିସାରା ପେରେରା, ଦୁଷ୍ମନ୍ତ ଚାମିରା ଓ ଧନଞ୍ଜୟ ଡି’ ସିଲଭାଙ୍କୁ ନିଜ ଦକ୍ଷତା ମୂଳକ ଖେଳ ଖେଳିବାକୁ ହେବ।