ଆସନ୍ତାକାଲି କଟକରେ ଟି-ଟ୍ୱେଂଟି ମୁକାବିଲା ! ଆଜି ବାରବାଟୀରେ ଅଭ୍ୟାସ କରିବେ ଭାରତ ଓ ଶ୍ରୀଲଙ୍କା

34

କନକ ବ୍ୟୁରୋ: ଆସନ୍ତାକାଲି ବାରବାଟି ଷ୍ଟାଡିୟମରେ ହେବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଟକ୍କର । ସେଥିପାଇଁ ଗତକାଲିଠାରୁ ଓଡିଶାରେ ପହଁଚିଛନ୍ତି ଭାରତ ଓ ଶ୍ରୀଲଙ୍କା କ୍ରିିକେଟ୍ ଟିମ୍ ।

ବିଶାଖପାଟଣାରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଁଚିଛନ୍ତି ଦୁଇ ଦଳର ଖେଳାଳି । କଡା ସୁରକ୍ଷା ବଳୟ ଭିତରେ ଖେଳାଳିଙ୍କୁ ବିମାନବନ୍ଦରରୁ ହୋଟେଲକୁ ନିଆଯାଇଛି । ଖେଳାଳିମାନେ ହୋଟେଲରେ ପହଁଚିବା ପରେ ସେମାନଙ୍କୁ ସେଠାରେ ଭବ୍ୟ ସ୍ୱାଗତ ଦିଆଯାଇଛି । ଓଡିଶାର ପରମ୍ପରା ଅନୁଯାୟୀ ଖେଳାଳିଙ୍କୁ ଚନ୍ଦନ ତିଲକ ଲଗାଇ, ଅତିଥ ଦେବୋ ଭବଃ ନୀତିରେ ସ୍ୱାଗତ କରାଯାଇଛି । ଆଜିି ଖେଳାଳିମାନେ କଟକ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ କରିବା ପାଇଁ ଯିବେ । ଶ୍ରୀଲଙ୍କା ଦଳ ୯ଟାରୁ ୧୨ଟା ଓ ଭାରତୀୟ ଦଳ ୨ଟାରୁ ୫ଟା ପର୍ଯ୍ୟନ୍ତ ଷ୍ଟାଡିୟମରେ ଅଭ୍ୟାସ କରିବେ । ଖେଳାଳିଙ୍କୁ ସୁରକ୍ଷିତ ଭାବେ ହୋଟେଲରୁ ଷ୍ଟାଡିୟମକୁ ନେବା ଆଣିବା କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ୍ ।

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ବାରବାଟୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଟି-୨୦ ଶୃଙ୍ଖଳାର ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ରବିବାର ବିଶାଖାପାଟଣାରେ ଖେଳି ସୋମବାର ଟି-୨୦ ଖେଳିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଗତକାଲି ବିଶାଖାପାଟଣାରୁ ଏକ ସ୍ୱତନ୍ତ୍ର ବିମାନରେ ଉଭୟ ଦଳର ଖେଳାଳି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ଧାରିତ ସମୟ ୨ଟା ୫ଠାରୁ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ।

ଉଭୟ ଦଳର ଖେଳାଳିମାନଙ୍କୁ ଦୁଇଟି ବସ୍ରେ ଅମ୍ବ୍ରେଲା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ନିଆଯାଇଥିଲା । ଭାରତୀୟ ସମର୍ଥକଙ୍କ ଧୋନି ଧୋନି ଏବଂ ରୋହିତ ରୋହିତ ଧ୍ୱନିରେ ହୋଟେଲର ଚାରିପଟ ପ୍ରକମ୍ପିତ ହେଉଥିଲା । ବସ୍ ଭିତରୁ ଖେଳାଳିମାନେ ହାତ ହଲାଇ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ହୋଟେଲ୍ କର୍ତୁପକ୍ଷ ଏବଂ ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଉଭୟ ଦଳକୁ ସ୍ୱାଗତ କରିବା ଲାଗି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲ । ଯୋଡ଼ି ଶଙ୍ଖ ସାଙ୍ଗକୁ ଢୋଲ ମାର୍ଦଳର ତାଳେ ତାଳେ ଖେଳାଳିମାନଙ୍କୁ ହୋଟେଲ୍ ମଧ୍ୟକୁ ପାଛୋଟି ନିଆଯାଇଥିଲା । ହୋଟେଲର ମହିଳା କର୍ମଚାରୀମାନେ ଗୋଲାପ ପାଖୁଡ଼ା ପକାଇବା ସହ ମଥାରେ ସିନ୍ଦୁର-ଚନ୍ଦନ ଲଗାଇ ଖେଳାଳିମାନଙ୍କୁ ସ୍ୱାଗତ କରିଥିଲେ । ବନ୍ଦାପନା ପରେ ସେମାନଙ୍କୁ ଉତ୍ତରୀୟ ଉପହାର ବି ଦେଇଥିଲେ ।