୩୦୭ ରନରେ ଅଲଆଉଟ ହେଲା ଭାରତୀୟ ଟିମ୍ । ଅଷ୍ଟ୍ରେଲିଆ ପାଇଁ ବିଜୟଲକ୍ଷ୍ୟ ୩୨୩

305

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ପାଇଁ ବିଜୟଲକ୍ଷ୍ୟ ୩୨୩ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୩୦୭ ରନରେ ଅଲଆଉଟ ହେବା ସହ ଅଷ୍ଟ୍ରେଲିଆ ପାଇଁ ୩୨୩ ରନର ଟାର୍ଗେଟ ରଖିଛି । ଚତୁର୍ଥ ଦିନ ୧୫୦/୩ ୱିକେଟରୁ ଖେଳ ଆରମ୍ଭ କରିଥିବା ଟିମ ଇଣ୍ଡିଆ ପ୍ରାରମ୍ଭରୁ ଭଲ ବ୍ୟାଟିଂ କରିଥିଲା । ଉଭୟ ରାହାଣେ ଓ ପୂଜାରା ଇନିଂସ ସମ୍ଭାଳିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଚେତେଶ୍ୱର ପୂଜାରାଙ୍କ ୱିକେଟ ପତନ ପରେ ଭାଙ୍ଗି ଯାଇଥିଲା ଭାରତର ବ୍ୟାଟିଂ ମେରୁଦଣ୍ଡ । ନାଥାନ ଲିୟନଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲା ଭାରତୀୟ ଟିମ୍ । ଲିୟନ ୬ଟି ୱିକେଟ ନେବା ସହ ଭାରତର ବିପର୍ଯ୍ୟୟ ଘଟାଇଥିଲେ ।

ମଧ୍ୟକ୍ରମରେ ରିଷଭ ପନ୍ତଙ୍କ ଦ୍ରୁତ ଇନିଂସ ଦେଖି ଲାଗୁଥିଲା ଭାରତ ଏକ ବଡ ସ୍କୋର କରିବ । କିନ୍ତୁ ପନ୍ତଙ୍କ ୱିକେଟ ପତନ ପରେ ତାଷଘର ପରି ଭୁଷୁଡି ପଡିଥିଲା ଭାରତର ୱିକେଟ । ମାତ୍ର ୩୦୭ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ । ଭାରତ ପକ୍ଷରୁ ପୂଜାରା ୭୧ ରନ କରିଥିବା ବେଳେ ରାହାଣେ ୭୦ ରନ କରିଥିଲେ ।

୩୦୭ ରନରେ ଭାରତ ଅଲଆଉଟ ହେବା ସହ ପ୍ରଥମ ଇନିଂସରେ ୧୫ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆକୁ ୩୨୩ର ଟାର୍ଗେଟ ମିଳିଛି । ପ୍ରଥମ ଇନିଂସରେ ଭାରତ ୨୫୦ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୨୩୫ ରନ କରିବାକୁ ସକ୍ଷମ ହୋଇଥିଲା । ତେଣୁ ମ୍ୟାଚ ଜିତିବାକୁ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ବୋଲରଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବାକୁ ପଡିବ ।