ପ୍ରଥମ ଟେଷ୍ଟରେ ବ୍ୟାଟସମ୍ୟାନଙ୍କ ପରେ ଚମକିଲେ ଭାରତୀୟ ବୋଲର । ଭାରତର ୬୪୯ ରନ ଜବାବରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ, ୯୪ ରନରେ ହରାଇଲା ୬ଟି ୱିକେଟ

29

କନକ ବ୍ୟୁରୋ : ବ୍ୟାଟସମ୍ୟାନଙ୍କ ପରେ ଚମକିଲେ ଭାରତୀୟ ବୋଲର । ରାଜକୋଟରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲରଙ୍କ ଆଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମସର୍ମପଣ କରିଛନ୍ତି କାରବିୟାନ ବ୍ୟାଟସମ୍ୟାନ । ପ୍ରଥମ ଇନିଂସରେ ଭାରତର ୬୪୯ ରନ ଜବାବରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ୱେଷ୍ଟଇଣ୍ଡିଜ ଟିମ୍ । ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ୯୪ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡିଛି ୱେଷ୍ଟଇଣ୍ଡିଜ । ଏବେ ମଧ୍ୟ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୫୫୫ ରନ ପଛରେ ୱେଷ୍ଟଇଣ୍ଡିଜ ।

ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ରୋଷ୍ଟନ ଚେଜ ୨୭ ଓ କିମୋ ପଲ ୧୩ ରନ କରି କ୍ରିଜରେ ରହିଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସାମି ଦୁଇଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।


ଏହା ପୂର୍ବରୁ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିବା ବ୍ୟାଟସ୍ମ୍ୟାନ ପୃଥ୍ଵୀ ସ’(୧୩୪)ଙ୍କ ଭଳି ଅଧିନାୟକ ବିରାଟ କୋହଲି(୧୩୯) ଓ ରବୀନ୍ଦ୍ର ଜାଦେଜା(୧୦୦) ମଧ୍ୟ ଶତକ ହାସଲ କରିଛନ୍ତି। ଏହି ଇନିଂସର ପ୍ରଥମ ଦିନରେ ଗୁରୁବାର ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରିଥିଲେ। ଋଷଭ ପନ୍ତ ୯୨ ରନ ଯୋଡିଥିଲେ।ୱେଷ୍ଟଇଣ୍ଡିଜ ପକ୍ଷରୁ ଦେବେନ୍ଦ୍ର ବିଶୁ ୪ଟି ୱିକେଟ ନେଇଥିବା ବେଳେ ଜାଡେଜାଙ୍କ ଶତକ ପରେ ପାଳିସମାପ୍ତି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ ।